ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆଜି ବିଦାୟ ନେଇଛି । କେବଳ ଓଡ଼ିଶା ନୁହେଁ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବୁଧବାର ସମ୍ପୂର୍ଣ୍ଣ ବିଦାୟ ନେଇଛି । ଭୁବନେଶ୍ୱର ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବିଦାୟ ନେବାର ପ୍ରକ୍ରିୟା ଜାରି ରହିଥିଲା । ମଙ୍ଗଳବାର ସୁଦ୍ଧା ମୌସୁମୀବାୟୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲାରୁ ବିଦାୟ ନେଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର କିଛି ଅଂଚଳରୁ ପ୍ରତ୍ୟାବର୍ତନ କରିଥିଲା । ଆଜି ଓଡ଼ିଶାର ଅବଶିଷ୍ଟ ଅଂଚଳରୁ ମୌସୁମୀବାୟୁ ପ୍ରତ୍ୟାବର୍ତନ କରିବା ସହିତ ସମଗ୍ର ଦେଶରୁ ବିଦାୟ ନେଇଥିବା ସୂଚନା ମିଳିଛି । ମୌସୁମି ବାୟୁ ବିଦାୟ ନେବା ସହିତ ଆସନ୍ତା ୪ ଦିନ ଅର୍ଥୀତ ଆକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଘୂର୍ଣ୍ଣବଳୟ ପ୍ରଭାବରେ ନଭେମ୍ବର ପହିଲାରୁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ମୌସୁମି ବିଦାୟ ନେବା ସହିତ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଖୁବ୍ ଶୀଘ୍ର ତାପମାତ୍ରା କମିବାର ସମ୍ଭାବନା ରହିଛି । ଚଳିତ ବର୍ଷ ମୌସୁମିରେ ରାଜ୍ୟରେ ୪% ଅଧିକ ବର୍ଷା ହୋଇଥିଲା ବେଳେ ୪ଟି ଜିଲ୍ଲାରେ କମ୍, ୫ଟି ଜିଲ୍ଲାରେ ଅଧିକ ଏବଂ ୭ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିଲା ଏଣିକି ପାଗ ଶିଖିଲ ରହିବ ଫଳରେ ରାଜ୍ୟର ଉପକୂଳବର୍ତି ଅଂଚଳ ସମେତ ବିଭିନ୍ନ ଅଂଚଳରେ ଶୀତ ଅନୁଭୂତ ହେବ ।