ବିଦ୍ୟୁତ୍ ମୁଲ୍ୟବୃଦ୍ଧି ପ୍ରତ୍ୟାହାର ଦାବି କରି ସି.ପି.ଏମ ର ବିକ୍ଷୋଭ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଯେଉଁଭଳି ଭାବେ ବିଦ୍ୟୁତ୍ ଶୁଳ୍କର ମୁଲ୍ୟ ବୃଦ୍ଧି କରିଛନ୍ତି, ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତାର ତୀବ୍ର ପ୍ରତିବାଦ ଜଣାଇଛି । ଦଳ ତରଫରୁ ଆଜି ଓଡିଶା ବିଦ୍ୟୁତ ନିୟମାଙ୍କ ଆୟୋଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଓ.ଇ.ଆର୍.ସି. ର ଅଧ୍ୟକ୍ଷଙ୍କୁ ସ୍କାରକପତ୍ର ପ୍ରଦାନ କରାଯାଇଛି । ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଛି ଯେ ରାଜ୍ୟବାସୀ ଏକ କଠିନ ଆର୍ଥିକ ପରିସ୍ଥିତିରେ ଗତି କଲାବେଳେ ହଠାତ୍ ସରକାର ବିଦ୍ୟୁତ୍ ଶୁଳ୍କର ମୁଲ୍ୟ ବୃଦ୍ଧି କରିବା ଅତ୍ୟନ୍ତ ଜନବିରୋଧି । ସରକାରୀ ପରିଚାଳନାଧୀନ ୪ଟି ଯାକ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ଘରୋଇକରଣ ପ୍ରକ୍ରିୟାରେ ସରକାର ସମସ୍ତ ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା କମ୍ପାନୀକୁ ଟେକିଦେବାର ମସୁଧା ଚଳାଇଛନ୍ତି । ରାଜ୍ୟର ଉପଭୋକ୍ତାମାନେ ନିରନ୍ତର, ଗୁଣାତ୍ମକ ଏବଂ ସୁଲଭ ମୁଲ୍ୟରେ ବିଜୁଳି ପାଇଲେ ନାହିଁ, ପୁଣି ବିଦ୍ୟୁତ୍ କ୍ଷେତ୍ରକୁ ଘରୋଇକରଣ କରି ଲୋକଙ୍କ ଉପରେ ମୁଲ୍ୟ ବୃଦ୍ଧିର ବୋଝ ଲଦିଦେବା କରୋନା ସମୟରେ “ବୋଝ ଉପରେ ଲଳିତା ବିଡା” ସଦୃଶ୍ୟ ହୋଇଛି । ସରକାର ଅବିଳମ୍ବେ ୟୁନିଟ୍ ପ୍ରତି ୨୦ ପଇସା ବର୍ଦ୍ଧିତ ଶୁଳ୍କ ଆଦାୟକୁ ସ୍ଥଗିତ ରଖିବା ପାଇଁ ସି.ପି.ଆଇ.(ଏମ୍) ଦାବି କରିଛି । ଓ.ଇ.ଆର୍.ସି. କେସ୍ ନମ୍ବର ୭୧/୨୦୧୯ ବିଦ୍ୟୁତ୍ ଆଇନ୍ ୨୦୦୩ର ଧାରା ୮୬(୧) ଏବଂ (ଖ) ଏବଂ ଓ.ଇ.ଆର୍.ସି. ରେଗୁଲେସନ ୨୦୦୪ ଅନୁଯାୟୀ ପ୍ରଦତ୍ତ ଆଦେଶନାମାର ପୁର୍ନବିଚାର କରିବା ପାଇଁ ଓ.ଇ.ଆର.ସି. ଅଧ୍ୟକ୍ଷଙ୍କୁ ସି.ପି.ଆଇ.(ଏମ୍) ତରଫରୁ ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି ।
ଆଜିକାର ଏହି ବିକ୍ଷୋଭରେ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଧନ ପତି, ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ରାଜ୍ୟ କମିଟି ସଭ୍ୟ ସାଲ ମାର୍ଣ୍ଡି, ଯତୀନ୍ ମହାନ୍ତି, ଅଭିରାମ ବେହେରା, ଭୁବନେଶ୍ୱର ଆଞ୍ଚଳିକ କମିଟିର ସମ୍ପାଦକ ରାମଚନ୍ଦ୍ର ତ୍ରିପାଠୀ ଏବଂ ଜଗଦୀଶ୍ ଜେନା, ପ୍ରଭାତ ପାଣିଗ୍ରାହୀ, ବିମଳୀ ନାୟକ, ପ୍ରମୋଦିନୀ ସାହୁ ସମେତ ସରୋଜ ନାୟକ, ପୁର୍ଣ୍ଣଚନ୍ଦ୍ର ପାଢୀ, ବସନ୍ତ ସାହୁ ପ୍ରମୁଖ ସି.ପି.ଆଇ.(ଏମ୍) ଭୁବନେଶ୍ୱର ଆଞ୍ଚଳିକ କମିଟି ନେତୃବୃନ୍ଦ ଏହି ଆନେ୍ଦାଳନରେ ଅଂଶ ଗ୍ରହଣ କରି ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

5 × four =