ବିଧାନସଭା ପାଇଁ ଟ୍ରାଫିକ ରୁଟ୍ କଟକଣା

ଭୁବନେଶ୍ୱର: ବିଧାନସଭା ଅଧିବେଶନ ବେଳେ ଆତ୍ମଦାହ ଉଦ୍ୟମ ଘଟଣା ବୃଦ୍ଧି ପାଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରଫିକ କଟକଣା ନିମନ୍ତେ ନିଷ୍ପତି ନିଆଯାଇଛି । ଏହି କଟକଣା ବିଧାନସଭା ଅଧିବେଶନର କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଜାରି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ । ଏଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ଗାଡି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧି ପାର୍କ ରାସ୍ତାରେ ଆଗକୁ ଯିବେ । ମାଷ୍ଟର କ୍ୟାଂଟିନ ପଟୁ ଲୋଏର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡି ଉପରେ ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାଶ୍ୱର୍ ଦେଇ ଯାଇପାରିବେ । କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ପାୱାର ହାଉସ ଛକ ଆଡକୁ ଯିବେ । ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ । ଏହି କଟକଣା ବିଧାନସଭା,ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନ ବେଳେ ବିଭିନ୍ନ ଲୋକେ ଆସି ନିଜର ସମସ୍ୟା ପାଇଁ ଆତ୍ମଦାହ ଉଦ୍ୟମ ଭଳି ପଦକ୍ଷେପ ନେଉଥିବାରୁ କମିଶନରେଟ ପୋଲିସ ଏପରି ନିଷ୍ପତି ନେଇଥିବା ଜଣାପଡିଛି ।

Leave A Reply

Your email address will not be published.

one + four =