କଟକ: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ରଙ୍କ ସହ ଗତକାଲି ଆଲୋଚନା ପରେ ସିବିଆଇ ଟିମ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘର ଉପରେ ଚଢାଉ କରିଛି । ଗତକାଲି ବାରଙ୍ଗ ପୋଲିସ୍ ଓ ସିବିଆଇର ୩ଜଣିଆ ଟିମ୍ ଚଢଉ କରିବା ସହ ବିବନଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି । ଏଥିସହ ସିବିଆଇ ଟିମ୍ ବିବନ ଘରୁ ବହୁ କାଗଜପତ୍ର ମଧ୍ୟ ଜବତ କରିଛି ।
ବିବନ ମୁମ୍ବାଇରେ ଲୁଚି ରହିବା ପଛରେ କାହାର ହାତ ଥିଲା, ସେ ନେଇ ଖୋଳତାଡ କରୁଛି ସିବିଆଇ । ତା ଛଡା ସେ ବ୍ୟାଙ୍କ ମାଧ୍ୟମରେ ନିଜ ଘରକୁ ପଠାଉଥିବା ଟଙ୍କା ସମ୍ପର୍କରେ ଅଧିକ ଯାଞ୍ଚ କରୁଛି ସିବିଆଇ । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ଟିମ୍ ପରିବାର ଲୋକଙ୍କ ସମେତ ଗାଁର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ।
ସୂଚନାଯୋଗ୍ୟ ଯେ, ୨ଜଣିଆ ସିବିଆଇ ଟିମ୍ ଗତକାଲି ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚି ସେହି କାଳ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଏହି ମାମଲାର ଚାର୍ଜସିଟ୍ ଦାଖଲ କରିଯିବ ବୋଲି ସିିବିଆଇ କହିଥିବା ଜଣାପଡିଛି ।
ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ତରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା । ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା । ପୋଲିସ୍ ବିବନଙ୍କ ପତା ପାଇନଥିଲା । ଏହି ଘଟଣା ସେହି ସମୟରେ ସମଗ୍ର ଦେଶରେ ଆଲୋଡନା ଖେଳାଇ ଦେଇଥିଲା । ଏହି ଲୋମହର୍ଷକାରୀ ଘଟଣାକୁ ନେଇ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର । ଘଟଣାର କିଛି ଦିନ ପରେ ତକôାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡିବାକୁ ପଡିଥିଲା ।
ଦୀର୍ଘ ୨୨ବର୍ଷ ପରେ ଅଞ୍ଜନାହ ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ଧରିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଆରମ୍ଭ କରିଥିଲା ଅପରେସନ୍ ‘ସାଇଲେଂଟ ଭାଇପର’ । ତା’ପରେ ତାକୁ ନାଭି ମୁମ୍ବାଇରୁ ଧରିବାରେ ସଫଳ ହୋଇଥିଲା । ସେ ସେଠାରେ ନାଁ ବଦଳାଇ ରହୁଥିଲା । ଏ ସମ୍ପର୍କରେ କମିଶନରେଟ୍ ପୋଲିସ୍ ଜାଣିପାରି ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା ।
ଏହାପରେ ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବା ପାଇଁ ଝାରପଡା ଜେଲ୍ ପରିସରରେ ହୋଇଥିଲା ଟିଆଇ ପରେଡ୍ । ଜେଏମ୍ଏଫସି ସୃଜାଲିନ୍ ମହାନ୍ତିଙ୍କ ତତ୍ୱାବଧାନରେ ହୋଇଥିବା ଟିଆଇ ପରେଡ୍ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିଲେ । ଏହାଛଡା ସେହି କାଳ ରାତ୍ରୀରେ ଗାଡି ଚଳାଇଥିବା ଡା୍ରଇଭର ମଧ୍ୟ ବିବନକୁ ଚିହ୍ନିଥିବା ସୂଚନା ମିଳିଥିଲା ।