ଭୁବନେଶ୍ୱର: ଛାତ୍ର-ଅଧ୍ୟାପକ-କର୍ମଚାରୀ ବିରୋଧି ତଥା ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟ ହରଣକାରୀ ୨୦୨୦ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଆଜି ଏ.ଆଇ.ଡି.ଏସ୍.ଓ ଓଡିଶା ରାଜ୍ୟ ପରିଷଦ ତରଫରୁ ସାରା ଓଡିଶା ଦାବୀ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଓଡିଶାର ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା, ବ୍ରହ୍ମପୁର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ସମେତ ରାଜ୍ୟ ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଜରିଆରେ ରାଜ୍ୟପାଳଙ୍କ ପାଖକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏ.ଆଇ.ଡି.ଏସ୍.ଓ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ ହାତରୁ କାଢି ନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ହାତରେ ନ୍ୟସ୍ତ କରିବା ତଥା ସିନେଟ୍ ବ୍ୟବସ୍ଥା ହଟାଇଦେବା ଅତ୍ୟନ୍ତ ଅଗଣତାନ୍ତ୍ରିକ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟ କ୍ଷୂର୍ଣ୍ଣ ହେବା ସହ ଶିକ୍ଷାର କେନ୍ଦ୍ରୀକରଣ ଓ ଅମଲାତାନ୍ତ୍ରୀକରଣ ଘଟିବ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ଯେତିକି ବି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଥିଲା ତାହା ମଧ୍ୟ ନଷ୍ଟ ହୋଇଯିବ । ଓ.ପି.ଏସ୍.ସି ଯୋଗ୍ୟତା ସମ୍ପନ୍ନ ଓ ଅଭିଜ୍ଞ ପ୍ରଫେସର ନିଯୁକ୍ତି ପାଇଁ ଏକ ଉପଯୁକ୍ତ ବଡି ନୁହେଁ ଏବଂ ଏହା ୟୁଜିସିର ଗାଇଡଲାଇନ୍କୁ ସଂପୂର୍ଣ୍ଣ ଉଲଂଘନ କରୁଛି । ଓ.ପି.ଏସ୍.ସି ଏହା ଏକ ମନୋନୀତ ବଡି । ଓ.ପି.ଏସ୍.ସି ଦ୍ୱାରା ନିଯୁକ୍ତି ହେଲେ ବହୁ ଅଭିଜ୍ଞ ଶିକ୍ଷାବିତ୍ ଓଡିଶା ବିଶ୍ୱବିଦ୍ୟାଳୟମାନଙ୍କୁ ଆସିବେ ନାହିଁ । ବାସ୍ତବରେ ସରକାରଙ୍କ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ କୌଣସି ଆନ୍ତରିକତା ନାହିଁ । ନିଜ ଦୋଷକୁ ଲୁଚାଇବା ପାଇଁ ଏବଂ ନିଜର ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱବିଦ୍ୟାଳୟରେ ପୁରେଇବା ପାଇଁ ନିଯୁକ୍ତି ନିୟମ ପରିବର୍ତ୍ତନର ଡ୍ରାମା ସୃଷ୍ଟି କରୁଛନ୍ତି । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକ ସରକାରରେ ଥିବା ଶାସକ ଦଳର ପରିବର୍ଦ୍ଧିତ କାଉଣ୍ଟରରେ ପରିଣତ ହେବ । ବହୁ କଷ୍ଟାର୍ଜିତ ସଂଗ୍ରାମ ଫଳରେ ଯେଉଁ ସିନେଟ୍ ବ୍ୟବସ୍ଥା ସୃଷ୍ଟି ହୋଇଥିଲା ଏବଂ ଯେଉଁଥିରେ ଛାତ୍ରମାନଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା ଥିଲା ତାହାକୁ ଉଚ୍ଛେଦ କରି ସରକାର ଗଣତାନ୍ତ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ କୁଠାରଘାତ କରିଛନ୍ତି । ସେହିଭଳି ବିଶ୍ୱବିଦ୍ୟାଳୟମାନେ ଚାହୁଁଥିବା ଅନୁଦାନ ଯୋଗାଇ ନଦେଇ କେବଳ କୁଳପତିମାନଙ୍କ କାର୍ଯ୍ୟକାଳ ୩ ରୁ ୪ ବର୍ଷ ବୃଦ୍ଧିକଲେ ଶିକ୍ଷାର କୌଣସି ଗୁଣାତ୍ମକ ପରିବର୍ତ୍ତନ ହେବ ନାହିଁ ବରଂ ସରକାର ଚାହୁଁଥିବା ବ୍ୟବସାୟୀକରଣ ତ୍ୱରାନ୍ୱିତ ହେବ । କୁଳପତି ଚୟନ କମିଟିରେ ସରକାରଙ୍କ ପ୍ରତିନିଧି ରଖିବା ପାଇଁ ଆଇନ୍ରେ ଯେଉଁ ପରିନର୍ତ୍ତନ ଆସିଛି ତାହା ମଧ୍ୟ କ୍ଷମତାରେ ଥିବା ରାଜନୈତିକ ଦଳଙ୍କ ସ୍ୱାର୍ଥ ରକ୍ଷା କରିବ ଏବଂ ଶିକ୍ଷାବିତ୍, ବୁଦ୍ଧିଜୀବୀମାନଙ୍କର ଗୁୁରୁତ୍ୱ ଯଥେଷ୍ଟ ହ୍ରାସ ପାଇବ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ୍ ୨୦୦୫ ପ୍ରତ୍ୟାହାର କରିବା ଦ୍ୱାରା ସେହି ଅନୁଷ୍ଠାନରେ ଯେତିକି ବି ଗଣତାନ୍ତ୍ରିକ ପରିବେଶ ଥିଲା ତାହା ମଧ୍ୟ ନଷ୍ଟ ହୋଇଯିବ ଏବଂ ବିଶ୍ୱବିଦ୍ୟାଳୟ ବିକାଶ କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ବାଧା ସୃଷ୍ଟି କରିବ ।