ନଗଦ ୮ଲକ୍ଷ ଟଙ୍କା, ୫୦ ବସ୍ତା ଗୁଟ୍କା, ୭ ମେସିନ୍ ଜବତ
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକରେ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଗୁଟ୍କା ତିଆରି କାରଖାନା। ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଆଜି ଏହି ଗୁଟ୍କା ତିଆରି କାରଖାନା ଉପରେ ଚଢ଼ଉ କରିଛି ପୁଲିସ । ଏହି ଘଟଣାରେ ୩ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁଲିସ। ଏଥି ସହିତ ଘଟଣାସ୍ଥଳରୁ ନଗଦ ୮ଲକ୍ଷ ଟଙ୍କା ସହ, ୫୦ ବସ୍ତା ଗୁଟ୍ ଏବଂ ୭ଟି ଗୁଟ୍କା ତିଆରି ମେସିନ୍ ଜବତ କରାଯାଇଥିବା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଲମତାପୁଟ ଅଞ୍ଚଳରେ ଏକ କାଜୁ ମିଲ୍ ପରିସରରେ ଦୀର୍ଘ ଦିନ ହେଲା ବେଆଇନ ଭାବରେ ଗୁଟ୍କା ତିଆରି କରାଯାଇ ବାହାରକୁ ଚାଲାଣ କରାଯାଉଥିଲା |ବ୍ରହ୍ମପୁରରୁ କଞ୍ଚାମାଲ ଆଣି ଏଠାରେ ପାନମସଲା ଏବଂ ଗୁଟ୍କା ପ୍ରସ୍ତୁତ କରି ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା। ନାନୋ, ସିଏମ୍ ଭଳି ବିଭିନ୍ନ ନାଁରେ ଜରି ପ୍ୟାକିଂ କରି ବଜାରରେ ବିକ୍ରି ହେଉଥିଲା । ଏନେଇ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଏବଂ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୁଲିସ ଏବଂ ସ୍ଥାନୀୟ ପୁଲିସର ଏକ ଟିମ୍ ଏହି ବେଆଇନ ଗୁଟ୍କା ତିଆରି କାରଖାନା ଉପରେ ଚଢ଼ଉ କରିଥିଲା। ସୁନାବେଡ଼ା ଏସଡିପିଓ, ନନ୍ଦପୁର ଏସଡିପିଓ ଓ ମାଛକୁଣ୍ଡ ପୁଲିସ ମିଳିତ ଭାବରେ ଏହି ଗୁଟକା ତିଆରି କାରଖାନା ଉପରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କାରଖାନା ଭିତରୁ ନଗଦ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଏଥି ସହିତ ୫୦ରୁ ଊର୍ଦ୍ଧ୍ବ ଗୁଟ୍କା ପ୍ୟାକିଂ ବସ୍ତା ଓ ୭ଟି ଗୁଟ୍କା ତିଆରି ମେସିନ୍ ପୁଲିସ ଜବତ କରିଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣକୁ ଗିରଫ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା, ମାଛକୁଣ୍ଡ ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆ, କ୍ରିଷ୍ଣା ମିଶ୍ର ସମେତ ଲମତାପୁଟ ଓ ମାଛକୁଣ୍ଡ ଥାନାର ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।