ଶାସନ ଓ ପ୍ରଶାସନର ଦୃଷ୍ଟି ପଡିବ କେବେ?
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି ହେଲେ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ପଞ୍ଚାୟତ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି। ଏଭଳି ଏକ ଉଦାହରଣ ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଳି ପଞ୍ଚାୟତ ପିତାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଛଉ ଗଉଡ଼ ନାମକ ବେସାହାରା ମହିଳା ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନାହିଁ । ଏବେ ଭଙ୍ଗା ଦଦରା ଗୋଟିଏ କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଦୁଆର ଦୁଆର ଭିକ୍ଷାବୃତ୍ତି କରି ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଅସହାୟ ଛଉ ଗଉଡ଼ଙ୍କ ପରିବାର କହିଲେ ସାହାଭାରସା କେହି ନାହିଁ । ଏଭଳି ପରିସ୍ଥିତିରେ ଘରଖଣ୍ଡେ କରିବାକୁ ବି ଛଉ ଗଉଡ଼ ମହିଳାଙ୍କ ହାତରେ ସମ୍ବଳ ନାହିଁ । ଦୀର୍ଘବର୍ଷ ହେଲା ଭଙ୍ଗା ଦଦରା ମାଟି କୁଡ଼ିଆ ଘରେ ଖରା ବର୍ଷା ସହ୍ୟ କରି ମୁଣ୍ଡ ଗୁଞ୍ଜି ଆସୁଛନ୍ତି । ଗତ କିଛିଦିନ ବର୍ଷାରେ ସେହି କୁଡିଆ ମଧ୍ୟ ସପୂର୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ଏପଟେ ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ଚାଲ କାର୍ଯ୍ୟକ୍ରମ କରି ଅଭିଯୋଗ ହେଲା ମାତ୍ରେ କିଛିଟା ସମାଧାନ ମଧ୍ୟ କରୁଛନ୍ତି କିନ୍ତୁ ଏହି ମହିଳା ପାଇଁ କାହାର ନଜର ପଡ଼ୁନାହିଁ । ତେବେ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେହି ଗ୍ରାମର ଭୀମ ମାଝୀ, ଅର୍ଜୁନ ଦଳପତି ଓ ଗୋକୁଳ ଧାରୁଆ ପ୍ରମୁଖ ଦାବୀ କରିଛନ୍ତି ।