ବାଲିକୁଦା,୧୧ ।୦୬(ନି.ପ୍ର.): ଗତକାଲି ରାତିରେ ବାଲିକୁଦା ପୁଲିସ ଏକ ବୋଲେରୋ ସହ ୨୮ ପେଟି ମଦ ଜବତ କରିଛି । ଏହି ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ମାଡି ବସିଛି । ମଦ ବୁହା ହେଉଥିବା ଏକ ବୋଲେରୋକୁ ମଧ୍ୟ ଜବତ କରିଛି ବାଲିକୁଦା ପୁଲିସ ମାତ୍ର ଗାଡିର ଚାଳକ ଓ ଅନ୍ୟ ଜଣେ ଫେରାର ହୋଇ ଯାଇଛନ୍ତି । ଉକ୍ତ ମଦ ବାଲିକୁଦା ଅଂଚଳରୁ ନାଉଗାଁ ଅଂଚଳକୁ ଚୋରା ଚାଲାଣା ହେଉଥିଲା । ଗତକାଲି ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ମଦ ଜବତ ହୋଇଛି । ଏହି ମଦ ନାଉଗାଁ ଥାନା ଅଧୀନ ଜାମୁଗାଁ ପଂଚାୟତର ଜଣେ ଚୋରା ମଦ ବ୍ୟବସାୟୀଙ୍କର ବୋଲି ଜଣାପଡିଛି । ମିଳି ଥିବା ସୂଚନା ମୁତାବକ ଗତକାଲି ରାତିରେ ଏହି ମଦ ଓଆର ୦୬ ଏଫ୍ ୭୬୮୦ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବୋଲେରୋରେ ଭର୍ତି ହୋଇ ବାଲିକୁଦା ମାଛଗାଁ ରାସ୍ତା ଦେଇ ଯାଉଥିଲା । ଏହି ସମୟରେ ବାଲିକୁଦା ପୁଲିସ ରାତି ପ୍ରାୟ ଅଢେଇଟା ସମୟରେ ଉକ୍ତ ବୋଲେରୋକୁ ପିଛା କରି ଉକ୍ତ ରାସ୍ତାରେ ଆମ୍ବଶାଳ-ନାନିକିପଡା ନିକଟରେ ଧରି ଥିଲା । ମାତ୍ର ପୁଲିସକୁ ଦେଖି ଗାଡିର ଚାଳକ ଓ ଅନ୍ୟ ଜଣେ ଡେଇଁ ଫେରାର ହୋଇଯାଇଥିଲେ । ସେହିପରି ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢଉ କରାଯାଇ ଓଆର୨୧ ଡି ୬୨୫୨ ନମ୍ବର ବିଶିଷ୍ଟଏକ ସିବିଜେଡ୍ ବାଇକ ସମେତ ୮ ଲିଟର ବିଦେଶୀ ମଦ ଜବତ କରା ଯାଇଛି । ଏଥି ସହିତ ବେଆଇନ ମଦ କାରାବାର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିବାଗ । ମିଳିଥିବା ସୁଚନା ମୁତାବକ ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ତିର୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ସଂଗ୍ରାମ ଦାସ ଓ ଅକ୍ଷୟ ଖଟୁଆ । ସଂଗ୍ରାମଠାରୁ ୨ ଲିଟର ୮୮୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ତା’ନିକଟରୁ ଏହି ସିବିଜେଡ ବାଇକକୁ ଜବତ କରିଛି ଅବକାରୀ ବିଭାଗ । ସେହିପରି ଅକ୍ଷୟ ଠାରୁ ୫ ଲିଟର ୨୨୦ ମିଲି ଲିଟର ମଦ ଜବତ କରାଯାଇଛି । ସଂଗ୍ରାମଙ୍କ ନାମରେ ଅବକାରୀ ଆଇନ ଅନୁଯାୟୀ ୯/୨୦ରେ ଏମ ମାମଲା ରୁଜୁ କରାଯାଇଥିବା ବେଳେ ଅକ୍ଷୟ ନାମରେ ୧୦/୨୦ରେ ଅବକାରୀ ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଉଭୟଙ୍କୁ ଆଜି କୁଜଙ୍ଗ କୋର୍ଟ ମାଜିଷ୍ଟ୍ରେଟ ନିକଟରେ ହାଜିର କରାଯାଇଥିଲା ।