ଭର୍ଚୁଆଲ୍ ରାଲି ୮ରେ: ଶାହା କରିବେ ସମ୍ବୋଧନ

ଭୁବନେଶ୍ୱର,୬.୬(ନି.ପ୍ର.): କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଥିବା ଅବସରରେ ଆଗାମୀ ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଅମିତ୍ ଶାହା ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ । ଦଳ ତରଫରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ରାଜ୍ୟର ୫ ହଜାରୁ ଅଧିକ ବିଜେପି କର୍ଯ୍ୟକର୍ତା ସାମିଲ ଥିଲେ ।
ଏହି ଅବସରରେ ଭର୍ଚୁଆଲ୍ ରାଲିର ପୋଷ୍ଟର୍ ଏବଂ ଭିଡିଓ ରିଲିଜ୍ କରାଯାଇଛି । ଏହାସହ ରାଲିରେ ୧ ଲକ୍ଷରୁ ଅଧିକ କାର୍ଯ୍ୟକର୍ତାଙ୍କୁ ଯୋଡ଼ିବା ନେଇ ରୂପରେଖ ପ୍ରସ୍ତୁତ ହୋଇଛି । ବିଜେପି ସୋସିଆଲ୍ ମିଡିଆ ଆକାଉଂଟ ଏବଂ ୟୁଟୁ୍ୟବ ମାଧ୍ୟମରେ ଏହି ରାଲିରେ ରାଜ୍ୟବାସୀ ସାମିଲ ହୋଇପାରିବେ । ଉକ୍ତ ଉର୍ଚୁଆଲ୍ ରାଲିର ପ୍ରସାରଣ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ କରାଯିବାର ବ୍ୟବସ୍ଥା ଏବଂ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ବାର୍ତା କିପରି ତୃଣମୃଳସ୍ତରରେ ପହଂଚି ପାରିବ ସେଥିନେଇ ଏଥିରେ ଆଲୋଚନା ହୋଇଥିଲା । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଆଇଟି ସେଲ୍ ସଂଯୋଜକ ଅମିତ ମାଲଭିଆ, ମୋଦୀଙ୍କ ଏକ ବର୍ଷ ପୂର୍ତି କାର୍ଯ୍ୟକ୍ରମର ପ୍ରମୁଖ ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭର୍ଚୁଆଲ୍ ରାଲି ପ୍ରମୁଖ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଘଠନ) ମାନସ ମହାନ୍ତିଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ସଭାପତି, ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କ ସମେତ ୫ ହଜାରରୁ ଅଧିକ ବିଜେପି କାର୍ଯ୍ୟକର୍ତା ସାମିଲ ଥିଲେ । ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ବୈଠକକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 × 5 =