ଭୁବନେଶ୍ୱର: ଘରେ ସଂଗରୋଧରେ ରହୁଥିବା କରୋନା ରୋଗୀମାନଙ୍କ ପାଇଁ ସରକାର ଆଂଟିଭାଇରାଲ ଔଷଧ ଫାଭିପିରାଭିର ଯୋଗାଇଦେବେ । ପ୍ରାରମ୍ଭିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ଔଷଧ ଯୋଗାଇ ଦିଆଯିବ । ଅଧିକାଂଶ ରୋଗୀ ଏହି ୩ଟି ଜିଲ୍ଲାରେ ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଭିପିରାଭିର ବଟିକା ଖାଇବା ନେଇ ଏକ ଏସ୍ଓପି ଜାରି କରାଯାଇଥିଲା । ଏଥିରେ କିଭଳି ଭାବେ ଔଷଧ ଖାଇବାକୁ ହେବ ଓ ଔଷଧ ଯୋଗାଣଠାରୁ ଆରମ୍ଭ କରି ସବୁ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିୟୁକ୍ତି ପର୍ଯ୍ୟନ୍ତ ଜିଲ୍ଲାପାଳ ଓ ସିଡିଏମ୍ଓମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଏହି ଔଷଧର ବ୍ୟବହାର ସମ୍ପର୍କରେ କଟକ ଏସ୍ସିବିର ଇଂଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା କହିଲେ, ବଟିକାକୁ ଚୋବାଇବା କିମ୍ବା ନ ଭାଙ୍ଗି ଖାଇବାକୁ ହେବ । ଯେଉଁମାନେ କୋଭିଡ ପଜିଟିଭ ଓ ଘରେ ସଂଗରୋଧରେ ଅଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ବଟିକା ଖାଇପାରିବେ । କେବଳ ଲକ୍ଷଣଯୁକ୍ତ ରୋଗୀଙ୍କୁ ଏହା ଦିଅଯିବ । କିଡ୍ନି ରୋଗ, ଗାଉଟ (ଉଚ୍ଚ ୟୁରିକ ଏସିଡ), ଲିଭର ଜନିତ ସମସ୍ୟା ଥିବା, ସ୍ତନ୍ୟପାନ କରୁଥିବା ମହିଳା, ଗର୍ଭଧାରଣ କରିଥିବା ମହିଳା ରୋଗୀଙ୍କୁ ଏହା ଦିଆଯାଇପାରିବ ନାହିଁ । ତେବେ ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ । ସରକାରଙ୍କ ପକ୍ଷରୁ ୫ ଦିନ ଲାଗି ଔଷଧ ପ୍ରଦାନ କରାଯାଉଛି । ସାଧାରଣ ଭାବେ, ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସକାଳେ ଓ ୯ଟି ବଟିକା ସନ୍ଧାବେଳେ ଖାଇବାକୁ ହେବ ଓ ୨ୟ ଦିନରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସଂନ୍ଧ୍ୟାବେଳେ ଖାଇବାକୁ ହେବ ବୋଲି ଡା.ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଅଶ୍ୱିନୀ ହସ୍ପିଟାଲର ଡାକ୍ତର ସଂପଦ ଦାସ କହିଲେ, ଫାଭିପିରାଭିର ଔଷଧ ଖାଉଥିବା ବ୍ୟକ୍ତିଙ୍କୁ ମଦ୍ୟପାନ ମନା । ଆଲକହଲ ସହିତ ବିଭିନ୍ନ ଔଷଧର ରାସାୟନିକ ପ୍ରତିକ୍ରିୟା ହେଉଥିବାରୁ ମଦ୍ୟପାନ ନିରାପଦ ନୁହେଁ । ତେବେ ଫାଭିପିରାଭିର ଖାଇବା ବେଳେ ରୋଗୀମାନେ ଅନ୍ୟାନ୍ୟ ଔଷଧ ଯଥା କରୋନା ସମୟରେ ସେବନ କରାଯାଉଥିବା ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଔଷଧ ଆଦି ଖାଇପାରିବେ ବୋଲି ଡା.ଦାସ କହିଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା ।