ଭୁବନେଶ୍ୱର: ବାଲିଅନ୍ତା ପଞ୍ଚାୟତ ରୋଡ୍ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଜ୍ଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କଲେଜର ଭିତର ଓ ବାହାର ବୁଲି ଦେଖିବା ସହ ପରିମଳ ଓ ପାର୍କିଂ ବ୍ୟବସ୍ଥା ପରଖିଥିଲେ । ଏହି ଟିମ୍ରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଏଡିଏମ୍ ମନୋଜ କୁମାର ପାଢ଼ୀ, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଓ ଏଡିଏମ୍ ଓଏଫ୍ଡବ୍ଲୁ ଦ୍ୱାରିକାନାଥ ଶତପଥୀ ଓ ଡିପିଏମ୍ ଗୀତାଞ୍ଜଳି ଦାଶ ପ୍ରମୁଖ ଥିଲେ । ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଭିଡ୍ କେୟାର ସେଣ୍ଟର ପରିଚାଳିତ ହେବ । ଭିତ୍ତିଭୂମି ଦୃଷ୍ଟିରୁ ଏହି ନର୍ସିଂ କଲେଜରେ ପାଖାପାଖି ୨୦୦ ଶଯ୍ୟା ରହି ପାରିବ ବୋଲି କୁହାଯାଇଛି । ଏହି ଟିମ୍ରେ କଲେଜ ଗସ୍ତ ସମୟରେ ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ୱାଳ, ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାଶ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଉକ୍ତ ନର୍ସିଂ କଲେଜରେ ପୂର୍ବରୁ ଉଭୟ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ୨୦୦ ପ୍ରବାସୀ ଓଡ଼ିଆଙ୍କ ପାଇଁ ସଂଗରୋଧ କେନ୍ଦ୍ରହୋଇଥିଲା ।