ମଣ୍ଡି ଅଭାବ: ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ଚାନ୍ଦିପୁଟ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଉତ୍ପାଦିତ ଫସଲର ବିକ୍ରିବଟା ଅସୁବିଧା କାରଣରୁ ଅଧିକାଂଶ ସମୟରେ ଚାଷୀ କ୍ଷତି ସହୁଛନ୍ତି । ଅର୍ଥକାରୀ ଫସଲ ଭାବେ ଗଜପତି ଜିଲ୍ଲାର ମୋହନା ଅଂଚଳରେ ମକା ଫସଲର ସ୍ୱତନ୍ତ୍ର ଚାହିଦା ରହିଛି । ମକା ଚାଷ କରି ଚାଷୀ ବାରମ୍ବାର କ୍ଷତି ସହୁଥିବାରୁ ଉକ୍ତ ଚାଷରୁ ଚାଷୀ ଏବେ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି । ଏପରିକି କି ମକାଚାଷର ଏନ୍ତୁଡିଶାଳ କୁହାଯାଉଥିବା ତିବ୍ଦତୀୟ ଶରଣାର୍ଥୀମାନେ ମଧ୍ୟ ମକା ଚାଷ କରି ଲଗାତାର କ୍ଷତି ସହୁଥିବା ଯୋଗୁ ବିକଳ୍ପ ଚାଷ କରିବାକୁ ମନ ବଳାଇଛନ୍ତି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଂଚଳର ୫ଟି କ୍ୟାମ୍ପରେ ତିବ୍ଦତୀୟ ଶରଣାର୍ଥୀମାନେ ବସବାସ କରିଆସୁଛନ୍ତି । ଏମାନଙ୍କ ଜୀବିକା ନିର୍ବାହ ପାଇଁ ସରକାର ପ୍ରତି ପରିବାରକୁ ୫ ଏକର ଚାଷ ଜମି ଲିଜ ଆକାରରେ ଦେଇଛନ୍ତି । ପାରମ୍ପରିକ ଚାଷ ଭାବେ ମୁଖ୍ୟତଃ ମକା ଚାଷ କରିଆସୁଛନ୍ତି । ଏଥିପାଇଁ ତିବ୍ଦତୀୟ ବହୁମୁଖୀ ସମବାୟ ସମିତି ଜରିଆରେ ଋଣ ନେଇ ମକା ଚାଷ କରିବା ସହ ଉତ୍ପାଦିତ ମକାକୁ ବିକ୍ରି କରିଆସୁଛନ୍ତି । ୧୯୬୩ ମସିହାରେ ସ୍ୱିଜରଲାଣ୍ଡ ଦେଶର ସ୍ୱିଚ୍ଚ ଟେକନିକାଲ କୋ-ଅପରେଟିଭ ସଂସ୍ଥାର ଦୁଇଜଣ ବ୍ୟକ୍ତି ଚନ୍ଦ୍ରଗିରି ପରିଦର୍ଶନରେ ଆସି ସର୍ବ ପ୍ରଥମେ ମକା ଚାଷ ଉପରେ ତିବ୍ଦତୀୟଙ୍କୁ ତାଲିମ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ଟ୍ରାକ୍ଟର ସହ କୃଷି ଯନ୍ତ୍ରପାତି ମଧ୍ୟ ଯୋଗାଇଥିଲେ । ଏହାପରେ ଜିଲ୍ଲାରେ ପ୍ରଥମ କରି ତିବ୍ଦତୀୟମାନେ ମକା ଚାଷ ଆରମ୍ଭ କରିବା ପରେ ଆଖପାଖ ଅଂଚଳବାସୀ ମଧ୍ୟ ଆଗ୍ରହ ପ୍ରକାଶ କରି ପ୍ରତି ବର୍ଷ ହେକ୍ଟର ହେକ୍ଟର ଚାଷଜମିରେ ମକା ଚାଷ କରିଆସୁଛନ୍ତି ।
ଅଦିବାସୀ ଅଧୁ୍ୟଷିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାରେ ବହୁ ପୁରାତନ କାଳରୁ ପାରମ୍ପରିକ ଚାଷ ଭାବେ ଧାନ, ଜହ୍ନା, ମାଣ୍ଡିଆ, ସୋରିଷ, ତିଳା, କାନ୍ଦୁଲ ଆଦି ଚାଷ କରାଯାଉଥିଲା । ହେଲେ କ୍ରମଶଃ ତାହା ଲୋପ ପାଇବା ସହ ପାହାଡିଆ ଜମିରେ ମଧ୍ୟ ମକା ଚାଷ କରାଯାଉଛି । କିନ୍ତୁ ଗତ କିଛିବର୍ଷ ହେଲା ଲଗାତାର ଭାବେ ଲଗାଣ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମକା ଚାଷ କରାଯାଉଛି । କିନ୍ତୁ ଗତ କିଛିବର୍ଷ ହେଲା ଲଗାତାର ଭାବେ ଲଗାଣ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମକା ଚାଷ କ୍ଷତିଗ୍ରସ୍ତ ହୋଇଛି । ରାସାୟନିକ ସାର ପ୍ରୟୋଗ ଯୋଗୁ ଜମିର ଉର୍ବରତା ନଷ୍ଟ ହେବାରେ ଲାଗିବା ସହ ମକା ଉତ୍ପାହନ ମଧ୍ୟ କମିବାରେ ଲାଗିଛି । ମକା ଦର ମଧ୍ୟ ପ୍ରତି ବର୍ଷ କମିବାରେ ଲାଗିଛି । ମକା କିଣିବା ପାଇଁ ସରକାରଙ୍କ ତରଫରୁ କୌଣସି ମଣ୍ଡିର ସୁବିଧା ନଥିବାରୁ ସାହୁକାରକୁ କମ ଦାମମରେ ବିକ୍ରି କରି ଅଭାବ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଫଳରେ ମକା ଚାଷରେ କ୍ଷତି ହେଉଥିବାରୁ ମକା ଚାଷରୁ ଓହରି ଯିବାକୁ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ମକାଚାଷୀ ମିଥୁନ କାର୍ଜୀ । ୨୦୧୮-୧୯ ମସିହାରେ ତିବ୍ଦତୀୟ ବହୁମୁଖୀ ସମବାୟ ସମିତି ଜରିଆରେ ଚନ୍ଦ୍ରଗିରିରେ ୨୦୧୮-୧୯ ମସିହାରେ ୫୪୦ ହେକ୍ଟର ଜମିରେ ମକା ଚାଷ ହୋଇଥିଲା । ମୋଟ ୧୧ ହଜାର ୩୧୮ କ୍ୱିଂଟାଲ ମକା ସେହିବର୍ଷ ଉତ୍ପାଦିତ ହୋଇଥିଲା । ସେହିପରି ୨୦୧୯-୨୦ ମସିହାରେ ୬୪୦ ହେକ୍ଟରରେ ଚାଷ କରାଯାଇ ୧୮,୫୭୯ କ୍ୱିଂଟାଲ ମକା ଆଦାୟ କରାଯାଇଥିଲା । ସେହିବର୍ଷ କିନ୍ତୁ କ୍ୱିଂଟାଲ ପିଛା ଦର ରହିଥିଲା । ୧୧୦୫ ଟଙ୍କା । ଏହା ଦ୍ୱାରା ଚାଷୀ କ୍ଷତି ସହିଥିଲେ । ୨୦୨୦-୨୧ ମସିହାରେ ସେହି ଏକା ପରିମାଣର ଜମିରେ ଚାଷ କରାଯାଇ ମୋଟ ୧୧,୨୫୬ କ୍ୱିଂଟାଲ ମକା ଆଦାୟ କରାଯାଇଥିବା ବେଳେ ଦର କ୍ୱିଂଟାଲ ପିଛା ରହିଥିଲା ୯୫୦ରୁ ୧୦୫୦ ଟଙ୍କା ସେହିପରି ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ୨୦୧୮-୧୯ ମସିହାରେ ୩୭୫୦ ହେକ୍ଟର ଜମିରେ ମକାଚାଶ କରାଯାଇଥିବା ବେଳେ ୨୦୧୯-୨୦ରେ ୪୩୦୦ ଏବଂ ୨୦୨୦-୨୧ରେ ୪୬୦୦ ହେକ୍ଟର ଜମିରେ ଚାଷ ହୋଇଥିଲା । ଚାଷୀର ଉପôାଦିତ ଫସଲର ସଠିକ ମୂଲ୍ୟ ପାଇବା ପାଇଁ ସରକାର ବିଭିନ୍ନ ସ୍ଥାନରେ ମଣ୍ଡିର ସୁବିଧା କରି ଆସୁଛନ୍ତି । ହେଲେ ଗଜପତି ଜିଲ୍ଲା ମକା ଚାଷୀଙ୍କ ପାଇଁ କୌଣସି ମଣ୍ଡିର ସୁବିଧା ନାହିଁ । ଫଳରେ ପ୍ରତିବର୍ଷ ମକାକୁ ଶାଗମାଛ ଦରରେ ବେପାରୀକୁ ଚାଷୀ ବିକି କ୍ଷତି ସହୁଛନ୍ତି ।

Leave A Reply

Your email address will not be published.

15 − 6 =