ବାଲିକୁଦା: ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୬ ଲିଟର ୨୫୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ବେଆଇନ ମଦ କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗା ଏହି ଚଢଉରେ ଏରସମା ଥାନା ଅଧୀନ ଗାରିଆ ଗାଁର ଶରତ ଚନ୍ଦ୍ର ସେଠକୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ୩ ଲିଟର ୨୪୦ ମିଲି ବିଦେଶୀ ମଦ ଜବତ କରାଯାଇଛି । ସେହିପରି ସେହି ଥାନା ଅନ୍ତର୍ଗତ ଖଟିକୋଳଦା ଗାଁରେ ଚଢଉ କରାଯାଇ କେଳୁଚରଣ ନାୟକ(୫୦)ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ୨ ଲି ୮୮୦ ମିଲି ବିଦେଶୀ ମଦ ଜବତ କରାଯାଇଛି । ଅନ୍ୟ ପକ୍ଷରେ ଉକ୍ତ ଥାନା ଅନ୍ତର୍ଗତ ଆମ୍ବିକି ଗାଁରେ ଚଢଉ କରାଯାଇ ସଂଜୟ କୁମାର ଭୁୟାଁ(୪୨) ନାମକ ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ଓ ତାଙ୍କ ଠାରୁ ୧୦ ଲିଟର ୧୧୦ ମିଲିଲିଟର ବିଦେଶୀ ମଦ ଜବତ କରାଯାଇଛି । ଏନେଇ ଚୋରା ମଦ କାରବାର ଘଟଣାରେ ଓଡିଶା ଅବକାରୀ ଆଇନ ବଳରେ ୩୧/୨, ୩୨/୨୦ ଓ ୩୩/୨୦ରେ ତିନିଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି । ବାଲିକୁଦା ଅବକାରୀ ଥାନା ଏସଆଇ ନିଳିମା ଜୟନ୍ତୀ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା । ଏଥିରେ ଏଏସଆଇ ଚିନ୍ମୟ ଦାସ, କନଷ୍ଟେବଲ ଚିତ୍ତରଂଜନ ଦାଶ, ହିମାଂସୁ ନାୟକ ଓ କଲ୍ୟାଣି ସେଠୀ ସାମିଲ ଥିଲେ ।