ମଦ ବିକିଲେ ତଣ୍ଡ, ଜଣାଇଲେ ପୁରସ୍କାର

ଖଲ୍ଲିକୋଟ: ବେଆଇନ ମଦ କାରବାର ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ବୃଦ୍ଧି ପାଇ ଚାଲିଛି । ଅବକାରୀ ଓ ପୋଲିସର ନିଷ୍କ୍ରୟତା ଏହି ବେଆଇନ କାରବାରର ପ୍ରମୁଖ କାରଣ । ଏଥିପାଇଁ ଗାଁ ଗାଁରେ ଓ ଘରେ ଘରେ ସୃଷ୍ଟି ହେଉଛି ସାମାଜିକ ଏବଂ ପାରିବାରିକ ବିଶୃଙ୍ଖଳା । ଏଥିରୁ ମୁକ୍ତି ପାଇବାକୁ କେତେକ ଗ୍ରାମବାସୀ କଠୋର ନିଷ୍ପତି ନେଉଛନ୍ତି । ଆଉ କେତେକ ସ୍ଥାନରେ ମହିଳା ଗୋଷ୍ଠୀ ଠେଙ୍ଗାବାଡି ଧରି ମଦୁଆ ଓ ମଦ ବିକ୍ରେତାଙ୍କୁ ସାବାଡ କରୁଛନ୍ତି । ଏହାର ନିଚ୍ଛକ ନିଦର୍ଶନ ଦେଖବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ । ଗାଁକୁ ମଦମୁକ୍ତ କରିବାକୁ ଗ୍ରାମବାସୀ କଠୋର ନିଷ୍ପତି ନେଇଛନ୍ତି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଫାସୁଳା, ପଥରା ସମେତ ବିଭିନ୍ନ ଗ୍ରାମରେ ମହିଳାମାନେ ମଦ ବିକ୍ରିକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି । ଗତ ଅକ୍ଟୋବର ୨୪ ତାରିଖ ତାଳପଡାର ପ୍ରାୟ ଏକ ହଜାର ମହିଳା ଏକତ୍ରିତ ହୋଇ ଗ୍ରାମରେ ଥିବା ସରକାରୀ ଭାଟିରେ ତାଲା ପକାଇଥିଲେ । ଜିଲ୍ଲା ପ୍ରଶାସନ ଭାଟିରେ ତାଲା ପକାଇଥିଲେ । ଜିଲ୍ଲା ପ୍ରଶାସନ ସେଠାରୁ ଭାଟି ଉଠାଇବା ପରିବର୍ତେ ଗ୍ରାମରେ ଆନେ୍ଦାଳନରତ ମହିଳା ଓ ପୁରୁଷଙ୍କ ବିରୋଧରେ ମକଦ୍ଧମା କଲେ । ସେହିଦିନଠାରୁ ଗ୍ରାମର ମହିଳାମାନେ ତାଳପଡା ଗ୍ରାମକୁ ସମ୍ପୂର୍ଣ ନିଶାମୁକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗ୍ରାମରେ ନିଶା ବେପାରୀମାନେ ବାହାରୁ ଓ ବିଭିନ୍ନ ଆସିବାସୀ ଅଂଚଳରୁ ବେଆଇନ ଦେଶୀ ମଦ ଆଣି ତାଳପଡାରେ ଖୋଲାଖୋଲି ବିକ୍ରି କରୁଛନ୍ତି । ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଗ୍ରାମବାସୀ ବୈଠକରେ ସ୍ଥିର କରିଛନ୍ତି । ଗାଁରେ ଯେକେହି ଓ ମଦ ବିକିଲେ ନଗଦ ଦଶହଜାର ଟଙ୍କା ଜୋରିମାନା ଓ ମଦ ବିକ୍ରି ସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । କେବଳ ସେତିକି ନୁହେଁ ଏ ସଂକ୍ରାନ୍ତରେ ଗ୍ରାମର ସ୍ଥାନେ ସ୍ଥାନେ ସୂଚନାଫଳକ ଲାଗାଇ ଦିଆଯାଇଛି । ଏ କ୍ଷେତ୍ରରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଗ୍ରାମବାସୀଙ୍କୁ କେତେଦୂର ସହଯୋଗ କରିବେ ତାହା ସମୟ କହିବ ।

Leave A Reply

Your email address will not be published.

14 + 6 =