ମନରେଗା କାମ କରୁଛି ମେସିନ୍‌

ଜଗତସିଂହପୁର : ମହାମାରୀ କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି । ଯାହାକୁନେଇ ଏବେ ଅନେକଲୋକଙ୍କ ଜୀବନ ଜୀବାକା ପ୍ରଭାବିତ ହେବାରେ ଲାଗିଛି । ଯାହାକୁନେଇ ବର୍ତ୍ତମାନ ସମୟରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସାଧାରଣ ଗରିବ ଲୋକମାନଙ୍କୁ ତଥା ଜବକାର୍ଡଧାରୀ ମାନଙ୍କୁ ୧୦୦ଦିନର କାମ ଯୋଗାଇଦେବା ଉଦ୍ଦେଶ୍ୟରେ ଏନଆରଜିଏସ କାମକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନାଉଗାଁ ବ୍ଲକରେ ଲକ୍ଷାଧିକ ଟଙ୍କାର ଏନଆରଜିଏସ କାମକୁ ମେସିନ୍ ସାହାଯ୍ୟରେ କରାଯାଉଛି ।ଉକ୍ତ ବ୍ଲକରେ ମହାତ୍ମାଗାନ୍ଧି ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ମେସିନ ଦ୍ୱାରା କାର୍ଯ୍ୟ ହେଉଥିବାକୁ ନେଇ ନରେନ୍ଦ୍ର ଭୋଇ, ସାଧୁ ଭୋଇ, ରାଜକିଶୋର ରାଉଳ, ବସନ୍ତ ଭୋଇ, ଚଇନ ଦାସ, ଯୋଗେନ୍ଦ୍ର କାଣ୍ଡି, ବିଜୟ ଭୋଇ ଆଦି ୫୦ରୁ ଉର୍ଦ୍ଧ ଜବକାର୍ଡଧାରୀମାନେ ଅଭିଯୋଗ କରିଛନ୍ତ । ଏବେ ତାଲାବନ୍ଦ ଭଳି ପରିସ୍ଥିତିରେ ସାଧରଣ ଗରିବ ଜବକାର୍ଡଧାରୀ ମାନଙ୍କ ଘରେ ଚୁଲି ଜଳୁନଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କରାଯାଉଛି ଏହି ମନରେଗା କାମ । ଅନ୍ୟପକ୍ଷେ ଏହି ବ୍ଲକରେ କରାଯାଉଥିବା ମନରେଗା କାମ ଗୁଡିକ ବିନା ସୂଚନା ଫଳକରେ ଚାଲୁଥିବା ବେଳେ ଅନେକ ସ୍ଥାନରେ ବିନା କାର୍ଯ୍ୟାଦେଶରେ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରପଞ୍ଚମାନଙ୍କ ଦ୍ୱାରା ଏହି କାର୍ଯ୍ୟକୁ କରାଯାଉଥିବା ଜାମୁଗାଁ ପଞ୍ଚାୟତର ୱାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି । ଏମିତିକି ଉକ୍ତ ପଞ୍ଚାୟତର ଚକୁଳିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିନା କାର୍ଯ୍ୟାଦେଶରେ କରାଯାଉଥିବା ମନରେଗା କାର୍ଯ୍ୟରେ ଗୋଚର ଜମିରୁ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ମାଟି ଅଣାଯାଇ ସ୍କୁଲ ପରିସରକୁ ପୋତାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ବିଡିଓଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି । ଏ ସମ୍ପର୍କରେ ଜାମୁଗାଁ ସରପଞ୍ଚ ଲଲାଟେନ୍ଦୁ ପରିଡା ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଏ କାର୍ଯ୍ୟ ସମ୍ପର୍କରେ କିଛି ଯାଣିନଥିବା କହିଛନ୍ତି । ଅନ୍ୟପଟେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ସମ୍ବନ୍ଧରେ ସେ ଅବଗତ ନାହାନ୍ତି କିନ୍ତୁ କିଛିଲୋକ ତାଙ୍କୁ ଫୋନ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯାହାର ପ୍ରକୃତ ତଦନ୍ତ କରାଯାଉଛି ଓ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ଏଠାରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ବିଶେଷକରି ମଣ୍ଡଳ ଉନୟନ ଅଧିକାରିଣୀ ଏହି କାର୍ଯ୍ୟ ସମ୍ପର୍କରେ ଅବଗତ ନଥିବା ବେଳେ କାହା ନିର୍ଦ୍ଦେଶରେ ଏହି କାର୍ଯ୍ୟକୁ କରାଯାଉଛି ତାହାଏବେ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଟିକରିଛି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Leave A Reply

Your email address will not be published.

twelve − one =