ପୁରୀ : ନିମାପଡା ବ୍ଲକ ଅଞ୍ଚଳରେ ମନେରଗା ଯୋଜନା ମହାମାରୀ ଯୋଜନାରେ ପରିଣତ ହୋଇଛି । ଶ୍ରମିକଙ୍କ ବଦଳରେ ମେସିନ୍ କରୁଛି କାର୍ଯ୍ୟ । ଯାହାଦ୍ୱାରା ପ୍ରବାସୀ ଶ୍ରମିକ ମାନଙ୍କ ଭାତହାଣ୍ଡିଙ୍କୁ ଶକ୍ତ ମାଡ ହୋଇଥିବା କାରଣରୁ ପ୍ରବାସୀମାନେ ଗୋଟିଏ ବେଳ ଖାଇଲେ ଆର ବେଳକୁ ଓପାସ ରହିବାକୁ ପଡୁଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ବ୍ଲକ ପ୍ରଶାସନ ଉଲଂଘନ କରି ଚାଲିଛି । ବହୁବାର ବିରାଧିଙ୍କ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ଦଳୀୟ ନେତାଙ୍କୁ ପୋଷିବା ସଦୃଶ କାର୍ଯ୍ୟ କରୁଛି ବ୍ଲକ ପ୍ରଶାସନ । କେତେକ କର୍ମଚାରୀ ଦୀର୍ଘଦିନ କାର୍ଯ୍ୟାଳୟରେ ଆସ୍ଥାନ ମାଡିବସିଥିବାରୁ ସେମାନଙ୍କର ଦଳୀୟ ପ୍ରତୀ ଅଧିକ ବଢିବାରେ ଲାଗିଛି । ପୁରୀ ଜିଲ୍ଲା ନିମାପଡା ବ୍ଲକ ଦୁର୍ନିତୀରେ ଉବୁଟୁବୁ ହେଉଛି । ମନେରଗା ଯୋଜନାରେ ବ୍ୟାପକ ଅର୍ଥ ବାଟମାରଣା ହେଉଥିବା ଦେଖିବାକୁ ମିଳିଛି । ଏହି ବ୍ଲକର ୩୨ଟି ପଞ୍ଚାୟତ ରହିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ମନେରଗା ଯୋଜନା କାର୍ଯ୍ୟ ଚାଲୁଅଛି । ଶ୍ରମିକ ବଦଳରେ ଜେସିବି ଟ୍ରାକ୍ଟର କାର୍ଯ୍ୟ କରୁଛି । ବ୍ଲକ ପ୍ରଶାସନ ନାମରେ କାର୍ଯ୍ୟାଦେଶ ରହି ଦଳୀୟ ଠିକାଦାର କାର୍ଯ୍ୟ କରୁଛନ୍ତି । କେତେକ ହିତାଧିକାରୀଙ୍କ ଜବ୍ କାର୍ଡ ସଂଗ୍ରହ କରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ କାର୍ଡଧାରୀଙ୍କୁ ସାମାନ୍ୟ କିଛି ଅର୍ଥ ପ୍ରଦାନ କରି ନିଜେ ଫାଇଦା ହାସଲ କରୁଛନ୍ତି । ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଯୋଜନା ବାଟବଣା ହେଉଛି । ସରକାରଙ୍କ ଗୋଚର ଅନାବାଦୀ ଜମି ଓ ଜଗନ୍ନାଥ ମହାପ୍ରଭୂଙ୍କ ସଂପତ୍ତିରୁ ଦିନରାତି ମାଟି ଚୋରୀ ହୋଇ ମନେରଗା ଯୋଜନା କାର୍ଯ୍ୟରେ ଲାଗୁଛି । ଯାହାଦ୍ୱାରା ରାଜସ୍ୱ ବିଭାଗର କୋଟି କୋଟି ଟଙ୍କା କ୍ଷତି ଘଟୁଛି । ଏ ସଂପର୍କରେ ଗ୍ରାମବାସୀ ପ୍ରତିବାଦ କଲେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଆକ୍ରୋଶର ଶୀକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ସମସ୍ତ ବିଷୟରେ ଅବଗତ ଥିଳେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ ନେତାଙ୍କ ପ୍ରଚ୍ଛନ୍ନ ହାତ ରହୁଥିବା ଅନୁମାନ କରାଯାଉଛି ।