ମାରଣାସ୍ତ୍ର ଦେଖାଇ ଟ୍ରକରୁ ଲୁଟ୍: ୩ ଗିରଫ

କେଉଁଝର: ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଲୁଟ,ଡକାୟତି ଏବଂ ଅପରାଧିକ କାର୍ଯ୍ୟକଳାପ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସବୁ ନିୟମ କାନୁନ ଓ ପୋଲିସକୁ ଫୁ କରି ଅପରାଧୀ ମାନେ ମାରଣାସ୍ତ୍ର ସହ ଦଳ ଦଳ ହୋଇ ବୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଉଥିବାଦେଖିବାକୁ ମିଳୁଛି । ସେହିପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ପୁରୁଣା ୨୧୫ ନଂ ଏବେର ୫୨୦ ନଂ ଜାତୀୟ ରାଜପଥ ଲହଣ୍ଡା ନିକଟରେ । ଖଣିଜ ପରିବହନ ନିମନ୍ତେ ନିୟୋଜିତ ଥିବା ଭାରୀଯାନ ଗୁଡିକ ରାସ୍ତାଜାମରେ ଦିନ ଦିନ ଫସି ରହୁଥିବାର ସୁଯୋଗ ନେଇ ଯୋଡା ଅଞ୍ଚଳର କିଛି ଅସାମାଜିକ ଯୁବକ ଖଣ୍ଡା,ଭୁଜାଲୀ,ଲୁହାରଡ ସହ ବିଭିନ୍ନ ମାରଣାସ୍ତ୍ର ହାତରେ ଧରି ଅଟକି ରହିଥିବା ଟ୍ରକ ଗୁଡିକର ଡ୍ରାଇଭର ମାନଙ୍କୁ ଆକ୍ରମଣ କରି ମାବାଇଲ,ଟଙ୍କା ଲୁଟିନେବା ସହ ଗାଡିରୁ ଡିଜେଲ ଚୋରି କରି ନେଇ ପଳାଉଥିବା ଖବର ବାରମ୍ବାର ପ୍ରଘଟ ହେବା ପରେ ପୋଲିସ ନଜରକୁ ଘଟଣାଟି ଆସିଥିଲା । ସବୁଦିନ ପରି ସୋମବାର ମଧ୍ୟରାତ୍ରରେ ଲୁଟ ହେଉଥିବାର ଖବର ପାଇ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁଙ୍କ ନେତୃତ୍ୱରେ ଏସଆଇ ସମ୍ଭୁନାଥ ନାଏକ,ବିଲେଇପଦା ଫାଣ୍ଡି ଅଧିକାରୀ ସେକ ଆଜାରୁଦ୍ଧିନଙ୍କ ସମେତ ପୋଲିସ ସଦଳବଳ ଘଟଣାସ୍ଥଳରେ ଆତର୍କିତ ଚଢାଉ କରି ମାରଣାସ୍ତ୍ର ସହ ବାଚୁହାଟିଂ ଅଞ୍ଚଳର ନେପାଳ ତନ୍ତୀ (୨୩),ସୁନୀଲ କାରୁଆ (୨୦) ଓ ରୁଗୁଡି ଥାନା ରୋଇଡା ଅଞ୍ଚଳର ଗୋବିନ୍ଦ ମୁଣ୍ଡା (୩୧) ତିନିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଲମ୍ବା ଟ୍ରାଫିକ ଜାମର ସୁଯୋଗରେ ଅନ୍ୟ ୪ ଜଣ ଅପରାଧି ଫେରାର ହୋଇଯାଇଥିଲେ । ଗିରଫ ୩ ଜଣ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୨୭୩୦ ଟଙ୍କା,୫ଟି ମୋବାଇଲ ଫୋନ,ଗୋଟିଏ ଖଣ୍ଡା,ଗୋଟିଏ ଭୁଜାଲୀ ଓ ୩ଟି ଲୁହାରଡ୍ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଫେରାର ୪ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ତେବେ ଏହି ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଯୋଡା ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ନିକଟରୁ ପ୍ରକାଶ ।

Leave A Reply

Your email address will not be published.

12 + 13 =