ମାଲକାନଗିରି : ଶଙ୍ଖର ଧ୍ୱନୀ, ପାରମ୍ପାରିକ ଆଦିବାସୀ ଲୋକ ନୃତ୍ୟ ଓ ହୁଳହୁଳି ନାଦରେ ଶୁଭାରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବ, ଯଦୁଗୁଡା ଶୈବ ପୀଠରୁ ଉଠିଲା ପାଣି ବାଜିଲା ବିଗୁଲ। କଳଶ ଯାତ୍ରାରେ ଭାଗ ନେଲେ ହଜାର ହଜାର ସଂଖ୍ୟାରେ ଜିଲ୍ଲାବାସୀ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ସାରା ଜିଲ୍ଲା ଉତ୍ସବ ମୁଖରିତ ହୋଇପଡ଼ିଛିା ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଯଦୁଗୁଡା ପ୍ରାକୃତିକ ପର୍ଯ୍ୟଟନସ୍ଥଳିରେ ନିକଟରେ ଥିବା ଝରଣାରୁ ବିଧିବଦ୍ଧ ଭାବେ ଜଳ ସଂଗ୍ରହ କରି ଜିଲ୍ଲାପାଳ ବିଶାଳ ସିଂ ଙ୍କ ଦ୍ୱାରା ପାରମ୍ପରିକ ପୂଜାର୍ଚନା କରାଯାଇଥିଲା। ନୃତ୍ୟର ତାଳେ ତାଳେ ବହୁ ଭାଷା ଭାଷୀ ଶ୍ରଦ୍ଧାଳୁ, ନାଚ ଗୀତ କରି ଏକ ବିରାଟ ଶୋଭାଯାତ୍ରାରେ ଯଦୁଗୁଡା ଠାରୁ ବାହାରିଥିଲୋ । ପରେ ଜିଲ୍ଲା ସଦର ମହକୁମାସ୍ଥିତ ଭୈରବ ମନ୍ଦିର ଠାରୁ କଳସ ଗୁଡିକୁ ନେଇ ସହର ପରିକ୍ରମା କରିବା ସହିତ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ପହଂଚିଥିଲା । ଏହି ଶୋଭା ଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଦର ମହକୁମାର ବୁଦ୍ଧିଜୀବି, ସମାଜସେବୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଅଂଶଗ୍ରହଣ କରିଥିଲେ। ତେବେ କଳସକୁ ଆସନ୍ତା ୧୫ ତାରିଖ ଦିନ ଏକ ଶୋଭାଯାତ୍ରାରେ ନିଆଯାଇ ମାଲ୍ୟବନ୍ତ ମଂଚରେ ପ୍ରତିଷ୍ଠା କରାଯିବ । ଶୋଭଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ,ଚିତ୍ରକୋଣ୍ଡା ବିଧାୟକ ପୂୂର୍ଣଚନ୍ଦ୍ର ବାକା, ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନିତେଶ୍ ବାଧ୍ୱାନୀ, ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରଭାତୀ ଝଡ଼ିଆ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଅଂଶଗ୍ରହଣ କରିଥିଲେ। ତେବେ ଆଗକୁ ଡିସେମ୍ବର ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଏହି ମାଲ୍ୟବନ୍ତ ମହୋତ୍ସବ ପାଳନ ହେବାକୁ ଥିବା ବେଳେ ବେଶ ଚଳଚଞ୍ଚଳ ହୋଇ ପଡ଼ିଛନ୍ତି ସମସ୍ତେ।