ମୁରିବାହାଲ,୧୧.୬(ନି.ପ୍ର.): ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଂଚାୟତରେ ପଙ୍ଗପାଳ ଦେଖାଦେଇଥିବା ଜଣାଯାଇଛି । ପଙ୍ଗପାଳ ଛତିଶଗଡରୁ ଓଡ଼ିଶାକୁ ପ୍ରବେଶ କରିବାର ପୂର୍ବାନୁମାନ ଥିବାବେଳେ ଚାଷୀମାନେ ଏଥିନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଉକ୍ତ ଅଂଚଳର ଜଙ୍ଗଲରେ ଏକ ଝିଂଟିକା ଭଳି ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି । ଚାଷୀମାନେ ଏହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇପଡିଛନ୍ତି । ଏହି କୀଟ ବାଡିବଗିଚାରେ ଥିବା ପନିପରିବା ଗଛର ପତ୍ରକୁ ଖାଇ ସମ୍ପୂର୍ଣ୍ଣ ଲଣ୍ଡା କରିଦେଉଛନ୍ତି । ଆଗକୁ ଖରିଫରେ ଧାନ, କପା, ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ ହେବାକୁ ଥିବା ବେଳେ ଜଙ୍ଗଲ ଭିତରୁ ଆସି ଏଭଳି ଲକ୍ଷାଧିକ କୀଟ ଚାଷୀମାନଙ୍କ ଆଶଙ୍କା ବଢାଇଛନ୍ତି । ସରକାର ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଚଳକୀ, କର୍ଲା, ଜଏଁତରା, ଜାମିଲିସର, ବାଙ୍କେଲ, ଗୋବତନ୍ଦପୁର, ଖୁଜେନପାଲି, ହୀରାପୁର, ଗ୍ରାମର ଚାଷମାନେ ଦାବି କରିଛନ୍ତି । ଗତ ସୋମବାର ମୁରିବାହାଲ ରେଳ ଷ୍ଟେସନ ଅଂଚଳରେ ମଧ୍ୟ ଏପରି କୀଟ ଦେଖାଯାଇଥିଲା । ଏ ସମ୍ପର୍କରେ ମୁରିବାହାଲ ଏଏଓ ଅମ୍ରିତ ଲୁଗୁନ ଏହା ପଙ୍ଗପାଳ ନୁହେଁ, ଏକପ୍ରକାର ଝିଂଟିକା ବୋଲି କହିଛନ୍ତି । ଟିଟିଲାଗଡ଼ ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ମତରେ ବର୍ତମାନ ପର୍ଯନ୍ତ ଓଡ଼ିଶାକୁ ପଙ୍ଗପାଳ ଆସିନାହାନ୍ତି ।