କଟକ: ଡେପୁଟେସନ ଓ ଠିକା ଭିତିରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଆସିଷ୍ଟାଂଟ ପ୍ରଫେସରମାନଙ୍କର ଚାକିରୀ ରେଗୁଲାର କରିବା ପାଇଁ ଦାବି ହୋଇଛି । ଏନେଇ ଆସିଷ୍ଟାଂଟ ପ୍ରଫେସରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ୨୦୦ ପାଖାପାଖି ଆସିଷ୍ଟାଂଟ ପ୍ରଫେସର ଏହିଭଳି ଠିକା ଭିତିରେ ଶିକ୍ଷାଦାନ କରୁଛନ୍ତି । ଓଡିଶା ଲୋକସଭା ଆୟୋଗ(ଓପିଏସସି) ଜରିଆରେ ଏମାନେ ନିଯୁକ୍ତି ପାଇଥିଲେ । ସ୍ମାରକପତ୍ରରେ କୁହାଯାଇଛି ଯେ, ସେମାନେ ଉଭୟ ରୋଗୀସେବା ସହିତ ଶିକ୍ଷାଦାନ କାର୍ଯ୍ୟରେ ନିୟୋଯିତ ଅଛନ୍ତି । ଏବେ କରୋନା କାଳରେ ସେମାନେ ରାଜ୍ୟର ବିଛିନ୍ନାଞ୍ଚଳରେ ଥିବା କୋଭିଡ ହସପିଟାଲରେ ରୋଗୀ ସେବା କରୁଛନ୍ତି ।
ଗତ ୪ବର୍ଷ ହେବ ଓପିଏସସି ପକ୍ଷରୁ ସରକାରୀ ମେଡିକାଲ କଲେଜରେ ସରକାରୀ ପ୍ରଫେସର ପଦବୀ ପାଇଁ ପରୀକ୍ଷା କରାଯାଇନାହିଁ । ଇତି ମଧ୍ୟରେ ଅନେକ ସରକାରୀ ପ୍ରଫେସର ଭବିଷ୍ୟତରେ ଓପିଏସସି ପକ୍ଷରୁ ହେବାକୁ ଥିବା ପରୀକ୍ଷା ପାଇଁ ବୟସ ସୀମା ଅତିକ୍ରାନ୍ତ କରିସାରିଲେଣି । ନିକଟରେ ଅନେକ ବରିଷ୍ଠ ପ୍ରଫେସର ଅବସର ଗ୍ରହଣ କରିବା ପରେ ସରକାରୀ ମେଡିକାଲ କଲେଜଗୁଡିକରେ ଅନେକ ପଦବୀ ଫାଙ୍କା ପଡିବ ।ଏପରିକି ନୁଆକରି ଖୋଲିଥିବା ମେଡିକାଲ କଲେଜଗୁଡିକରେ ଏମବିବିଏସ/ଏମଡି ପାଠ୍ୟକ୍ରମ ପାଇଁ ଏମସିଆଇ ମାର୍ଗଦର୍ଶୀକା ଅନୁଯାୟୀ ଅଧିକ ଫ୍ୟାକଲଟି ଆବଶ୍ୟକ କରିବେ । ଏପରି ସ୍ଥଳେ ସେମାନଙ୍କ ଅଭିଜ୍ଞତା ମେଡିକାଲ କଲେଜଗୁଡିକର ଉନ୍ନତିରେ ଯଥେଷ୍ଠ ସହାୟକ ହେବ । ସେମାନଙ୍କୁ ସରକାର ଏକ ଘଡିସନ୍ଧି ମୁହୁର୍ତରେ ଠିକାଭାବେ ନିଯୁକ୍ତି ଦେିଥିଲେ ଯେତେବେଳେ ମେଡିକାଲ କଲେଜଗୁଡିକ ଏମସିଆଇ ସ୍ୱୀକୃତି ଲାଭ କରିବାର ଥିଲା । ତେଣୁ ସେମାନଙ୍କ ଦାବୀକୁ ଗ୍ରହଣ କରାଯାଇ ଚାକିରୀକୁ ସ୍ଥାୟୀ କରିବା ପାଇଁ ସ୍ମାରକପତ୍ରରେ ଦାବୀ କରାଯାଇଛି ।