ଭୁବନେଶ୍ୱର: ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରୁ ଏହାକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ୱ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଂଚିବା’ । ରାଜ୍ୟରେ କ୍ରମାଗତ ଭାବେ ମ୍ୟାଲେରିଆ ହ୍ରାସ ପାଉଛି । ବିଶେଷକରି ୨୦୧୭ ମସିହା ପରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ହେଲେ ଗତବର୍ଷ ରାଜ୍ୟରେ ପୁଣିଥରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ଭିବିସିପି ସୂତ୍ରରୁ ମିଳିଥିବା ସୂଚନା ନଜରକୁ ଆସିଛି । ଜାତୀୟ ଭେକ୍ଟର ବାହିତ ରୋଗ ନୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ତୁଳନାରେ ଗତବର୍ଷ ସାଢେ଼ ୫ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୯ ମସିହାରେ ରାଜ୍ୟରେ ୩୯,୫୫୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତବର୍ଷ ଏହା ୪୧,୭୩୮କୁ ବୃଦ୍ଧି ପାଇଥିଲା । ଦୁଇବର୍ଷରେ ୯ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ କେତେକ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । ପ୍ଲାଜମୋଡିୟମ୍ ଫାଲ୍ସିପାରମ୍ ବା ପିଏଫ୍ ପାରାସାଇଟ୍ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି । ଗତବର୍ଷ ଡିସେମ୍ବର ମାସ ବେଳକୁ ୨୦୧୯ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ହୋଇଥିଲା । ମାତ୍ର ପରବର୍ତୀ ସମୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି । ଦେଶ ତଥା ବିଶ୍ୱସ୍ତରରେ ଓଡ଼ିଶା ନିୟନ୍ତ୍ରଣ ପାଇଁ ପ୍ରଶଂସିତ ହୋଇଥିବା ବେଳେ ଗତବର୍ଷ ପୁଣିଥରେ ବୃଦ୍ଧି ହେବା ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଏକପ୍ରକାର ଝଟ୍କା ଲାଗିଛି । ଅପରପକ୍ଷରେ ଚଳିତବର୍ଷ ଫେବ୍ରୁଆରି ମାସ ସୁଦ୍ଧା ରାଜ୍ୟରେ ୨୦୦୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । କେବଳ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନୁହେଁ, ଗତବର୍ଷ ରାଜ୍ୟରେ କମ୍ ସଂଖ୍ୟକ ପରୀକ୍ଷ ମଧ୍ୟ କରାଯାଇଛି । ୨୦୧୯ରେ ରାଜ୍ୟରେ ୬୫ ଲକ୍ଷ ୫୨ ହଜାର ୨୯୩ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ଗତବର୍ଷ ୫୯ ଲକ୍ଷ ୯୭ ହଜାର ୮୫୮ ନମୁନା ପରୀକ୍ଷା ହୋଇଥିଲା । ତେବେ ଏଥିପାଇଁ କରୋନା ସଂକ୍ରମଣକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାୟୀ କରାଯାଇଛି । ଗତବର୍ଷ କରୋନା ପାଇଁ ଏସବୁ କାର୍ଯ୍ୟକ୍ରମ ପ୍ରାୟତଃ ହୋଇପାରି ନାହିଁ । ଲକ୍ଡାଉନ୍, ସଟ୍ଡାଉନ୍ ଓ କଂଟେନମେଂଟ ଜୋନ୍ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଅପରପକ୍ଷରେ ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ଜାରି ରହିଛି । ଯାହାକି ରାଜ୍ୟରେ ମ୍ୟାଲେରିଆ ହ୍ରାସ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାସହ ରାଜ୍ୟରେ ୨ କୋଟିରୁ ଅଧିକ ଔଷଧୀୟ ମଶାରୀ ବଂଟନ କରାଯାଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣକୁ ଆହୁରି ହ୍ରାସ କରିବା ଲାଗି କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରାଜ୍ୟ ଏନ୍ଭିବିଡିସିପିର ଯୁଗ୍ମ ନିର୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ କୌଣସି ଉତର ଦେଇ ନ ଥିଲେ ।