ଯଯାତି ୨୦୨୬: ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

  • ଯୁବପିଢିଙ୍କୁ ସାହିତ୍ୟ ସହ ଯୋଡ଼ିବା ପାଇଁ ପ୍ରଶାସନର ପ୍ରୟାସ



ଯାଜପୁର : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶ୍ୱ କବିତା ଦିବସ ଅବସରରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଆୟୋଜିତ ଏହି କବି ସମ୍ମିଳନୀରେ ସମଗ୍ର ଜିଲ୍ଲାରୁ ପ୍ରାୟ ୧୨୦ ରୁ ଉର୍ଦ୍ଧ୍ୱ କବି ସାମିଲ ହୋଇ କବିତା ଆବୃତ୍ତି କରିଥିଲେ। ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ତଥା କବି ସମ୍ମିଳନୀ ଉପକମିଟିର ଅଧ୍ୟକ୍ଷ ଶ୍ରୀ ତାପସ ରଞ୍ଜନ ଦେହୁରୀ ଉତ୍ସବକୁ ଉଦଘାଟନ କରିଥିଲେ। ଅତିଥି ଭାବେ ସଂଯୋଜକ ଶ୍ରୀ ପ୍ରଭାତ ମଲ୍ଲିକ, ସହକାରୀ ଜିଲ୍ଲାପାଳ ତଥା ଆବାହକ ସୁଶ୍ରୀ ସ୍ମରଣିକା ଦାଶ, କବି ଶ୍ରୀ ଗୌତମ ଜେନା, ଶ୍ରୀ ନିରଞ୍ଜନ ପାଢ଼ୀ, ସମାଜସେବୀ ସନ୍ତୋଷ ନନ୍ଦ ଯୋଗ ଦେଇଥିଲେ। ଯାଜପୁରର ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସହ ଯୋଡ଼ିବାରେ ଏଭଳି କାର୍ଯ୍ୟକ୍ରମ ବେଶ୍ ଉପଯୋଗୀ ବୋଲି ଅତିଥିମାନେ ମତ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏକ ବ୍ୟଙ୍ଗ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟଙ୍ଗ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ କବିମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ କୁନି ଶିଶୁ କଳାକାରମାନେ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଏବଂ ଯଯାତି ସ୍ମରଣିକା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ସ୍ମରଣିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

five − four =