ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ ଫେରାହର ହୋଇଯାଇଥିବା ନେଇ ପୀଡିତା ଯୁବତୀ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବହଳପଦର ଗାଁର ୧୮ବର୍ଷୀୟା ପୀଡିତା ଯୁବତୀ ସର୍ବସ୍ୱ ହରାଇବା ପରେ ନ୍ୟାୟ ପାଇବା ପାଇଁ ଆକୁଳ ନିବଦେନ କରିଛନ୍ତି । ଅଭିଯୁକ୍ତ ବହଳପଦର ଗାଁର ୨୪ବର୍ଷିୟ ଯୁବକ କେଦାର ଡେଲାଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡିତ କରି ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି । ନଚେତ ଖଡିଆଳ ଥାନା ସମ୍ମୁଖରେ ବିଷପାନ କରି ଆତ୍ମହତ୍ୟା କରିବେ ବୋଲି ପୀଡିତା ଯୁବତୀ ‘ସମ୍ବାଦ’ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତିି ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୮ ତାରିଖ ଶୁକ୍ରବାର ରାତ୍ର ୮ଘଂଟା ସମୟରେ ଏହି ଘଟଣା ଘଟିଥିଲା । ନିଜ ଘରୁ ମାତ୍ର ୨୦୦ ମିଟର ଦୂରତାରେ ଥିବା ସମ୍ପକୀୟ ଭଣଜାର ଜନ୍ମ ଦିନର ଉତ୍ସବରେ ଯୋଗ ଦେଇ ଥିଲେ ପୀଡିତା । ଅନ୍ଧାର ରାତ୍ରର ସୁଯୋଗ ନେଇ ସେହି ଗାଁର ଅନିରୁଦ୍ଧ ଠେଲାଙ୍କ ୨୪ ବର୍ଷିୟ ପୁଅ କେଦାର ଠେଲା ଆତଙ୍କିତ ଭାବରେ ମୁହଁରେ କନା ପୁରାଇ ନିକଟସ୍ଥ ସାଗୁଆନ ବୁଦାକୁ ଟେକିନେଇ ବଳ ପ୍ରୟୋଗ କରି ଦୁଷ୍କର୍ମ କରିଥିବା ଜଣାପଡିଛି । ଦୁଷ୍କର୍ମ ପରେ ଘଟଣାଟିକୁ ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଖସି ପଳାଇଛି ।
ଏହାପରେ ଯୁବତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନଙ୍କ ସହ ଯୋଗାଯୋଗ କରିବାକୁ ଖଡିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି । ଅଭିଯୁକ୍ତ ଫେରାର ଅଛି ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।