ଯୁବ ସଂଗଠନ କଲା ଆଠଗଡ ସହରାଞ୍ଚଳ ବିଶୋଧନ

ଆଠଗଡ: ଆଠଗଡ ଯୁବ ସଂଗଠନ ପକ୍ଷରୁ ସୋମବାର ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସମଗ୍ର ସହରାଂଚଳକୁ ବିଶୋଧନ କରାଯାଇଥିଲା । କରୋନା ମହାମାରୀ ୨ୟ ପର୍ଯ୍ୟାୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କରୋନା ସଂକ୍ରମଣ ଭୟଙ୍କର ରୂପନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଆଠଗଡ ସହରରେ ମଧ୍ୟ ପ୍ରାୟ ସମସ୍ତ ୱାର୍ଡରେ ସଂକ୍ରମତଙ୍କ ସଂଖ୍ୟା ବଢ଼ୁଛି । ଏହି ସମୟରେ ପ୍ରଶାସନ ବା ଏମଏସି କର୍ତୃପକ୍ଷଙ୍କ ଦ୍ୱାରା କୌଣସି ଅଂଚଳରେ ବିଶୋଧନ କାର୍ଯ୍ୟକ୍ରମ କରାଯାଉନାହିଁ । ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ପୂର୍ବରୁ କରୋନ ମହାମାରୀରୁ ରକ୍ଷା ପାଇଁ ଯୁବ ସଂଗଠନ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଆଠଗଡ ସହରର ସମସ୍ତ ମୁଖ୍ୟ ବଜାର ଗୁଡିକୁ ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ବିଶୋଧନ କରାଯାଇଥିଲା । ସୋମବାର ପୁନର୍ବାର ବଜାରଘାଟ ସମେତ ବିଭିନ୍ନ ସାହି ଓ ବସ୍ତି ଅଂଚଳରେ ପ୍ରାୟ ୨ ହଜାର ଲିଟର ହାଇପୋକ୍ଲୋରାଇଡ ମିଶ୍ରଣ ସିଂଚନ ମେସିନ ଦ୍ୱାରା ସଂଗଠନର ଯୁବ ସ୍ୱେଚ୍ଛାସେବୀମାନେ ବିଶୋଧନ କରିଥିଲେ । ସେହିପରି ଭବିଷ୍ୟତରେ ଅମ୍ଳଜାନର ଅଭାବ ଦୂର କରିବା ପାଇଁ ଲୋକମାନଙ୍କ ଘରେ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କିସମର ଗଛଚାରା ବଂଟନ କରାଯାଇଥିଲା । ଏଥି ସହିତ ଗତ ୩ ତାରିଖରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗୁଣ୍ଡିଚାପୁର ଗ୍ରାମର ବିଶିଷ୍ଟ ଜ୍ୟୋତିର୍ବିତ୍ ଅଜୟ କୁମାର ନାୟକଙ୍କ ପରିବାରକୁ ଭେଟି ଅଭୟ ସମବେଦନା ଜଣାଇବା ସହ ଏକାମାତ୍ର ରାସନ ସାମଗ୍ରୀ ଓ ୨ ହଜାର ଟଙ୍କା ଅର୍ଥରାଶି ସହାୟତା ପୂର୍ବକ ପ୍ରଦାନ କରିଥିଲେ । ସଂଗଠନ ସଦସ୍ୟ ଜ୍ଞାନରଞ୍ଜନ ମହାପାତ୍ର, ଟୁକୁ ସାମଲ, ପ୍ରଶାନ୍ତ ସାହୁ, ତାପସ ରାଉତ, ସଂଜୟ ସାହୁ, ଦିପ୍ତୀରଞ୍ଜନ ଜେନା, ସୁକାନ୍ତ ସ୍ୱାଇଁ, ବିକ୍ରମ ଭଟ୍ଟ, ଜିତେନ୍ଦ୍ର ଦାସ, ଲୁଲୁ ଦାସ ଓ ସରୋଜ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 3 =