ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ(ଚିଫ୍ ସିଏସଓ)ଙ୍କ ଅଭଦ୍ରୋଚିତ ବ୍ୟବହାରରେ ଅତିଷ୍ଠ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଠାରେ ଆଜି ଅଭିଯୋଗ ଉଠାଇବା ସହ କଲମଛାଡ଼ ଆନ୍ଦୋଳନର ଚେତାବନୀ ଦେବା ଘଟଣା ଜିଲ୍ଲାର ସରକାରୀ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗର ସଂଶୋଧିତ ନିୟମ ଅନୁସାରେ ଅନ୍ୟାନ୍ୟ ଜିଲ୍ଲା ଭଳି ଗତ ୧୪ ତାରିଖରେ ବାଲେଶ୍ୱର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ମୀର ରାଜା ଅଲ୍ଲୀ ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସେ କୋରାପୁଟ ଜିଲ୍ଲାର ଅଧିବାସୀ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ଏଠାକୁ ପଦୋନ୍ନତି ପାଇ ଅସିଛନ୍ତି । ତେବେ ବାଲେଶ୍ୱରରେ କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ବିଭାଗୀୟ ସହକାରୀ ଅଧିକାରୀଙ୍କ ସମେତ ଅଧସ୍ତନ କର୍ମଚାରୀଙ୍କ ପ୍ରତି ତାଙ୍କର ରୁକ୍ଷ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ବିଭାଗର ମୁଖ୍ୟ ଭାବେ ତାଙ୍କୁ ଗ୍ରହଣ କରିବା ସହ କର୍ମଚାରୀ ଓ ସହକାରୀ ଅଧିକାରୀମାନେ ସବୁକିଛି ସହିଯାଉଥିଲେ । ମାତ୍ର ତାଙ୍କର ଏହି ରୁକ୍ଷ ବ୍ୟବହାର କ୍ରମଶଃ ବୃଦ୍ଧି ପାଇ ଅଭଦ୍ରୋଚିତ ବ୍ୟବହାରରେ ପ୍ରତିଫଳିତ ହେବା ଦେଖି ସମସ୍ତେ ଉଦ୍ବେଗ ପ୍ରକାଶ କରିଥିଲେ । ବିଶେଷ କରି ଯୋଗାଣ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପ୍ରତି ଏହି ଅଭଦ୍ରୋଚିତ ତଥା ଅଶାଳୀନ ବ୍ୟବହାର ସୀମା ଟପିବା ଦେଖି କର୍ମଚାରୀମାନେ ସ୍ୱର ଉତୋଳନ ପାଇଁ ନିଷ୍ପତି ନେଇଥିଲେ । ଏହି କ୍ରମରେ କର୍ମଚାରୀମାନେ ଆଜି ମିଳିତ ଭାବେ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିିଯୋଗ କରିବାକୁ ଯାଇଥିଲେ ।
ମାତ୍ର ଜିଲ୍ଲାପାଳ ଅଫିସରେ ନଥିବା ଦେଖି ସେମାନେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକଙ୍କୁ ସାକ୍ଷାତ ସହ ତାଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ ।
ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏଭଳି ସ୍ପର୍ଶକାତର ଘଟଣାରେ ଜିଲ୍ଲା ପ୍ରଶାସନିକ ମୁଖ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କର୍ମଚାରୀମାନେ କଲମଛାଡ଼ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ଏ ସମ୍ପର୍କରେ ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଉଠାଇ ନଥିଲେ ।