ଯୋଡାରେ ହାତୀ ମୃତ୍ୟୁ : ଅତିରିକ୍ତ ପିସିସିଏଫ ଓ ଆରସିସିଏଫଙ୍କ ତଦନ୍ତ

ଯୋଡା,୧୮.୬ (ନି.ପ୍ର.): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଫରେଷ୍ଟ ସେକ୍ସନର ବୈତରଣୀ ରିଜର୍ଭ ଫରେଷ୍ଟ (ଖ) ଗୁରୁବେଡା ଜଙ୍ଗଲ ମଧ୍ୟରୁ ଠାବ କରାଯାଇଥିବା ଦୁଇଟି ହାତୀର ମୃତଦେହ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଗୋଟିଏ ଦନ୍ତା ଓ ଗୋଟିଏ ମାଈହାତୀର ମୃତ୍ୟୁ ଘଟଣାରେ ଘଟଣାସ୍ଥଳରେ ଅତିରିକ୍ତ ପିସିସିଏଫ ଶଶୀ ପାଲ ଓ ରାଉରକେଲା ଆରସିସିଏଫ ଭଞ୍ଜ କିଶୋର ସ୍ୱାଇଁ ପହଂଚି ଦୁଇଟି ମୃତଦେହର ପରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶିକାର ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ ଆଘାତରେ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛିା ଏଥିସହ ଘଟଣାସ୍ଥଳରୁ ବାଇଣ୍ଡିଙ୍ଗ ତାର ଓ ଇନ୍ସୁ୍ୟଲେଟର ଗୁଡିକୁ ଜବତ କରିଛି ବନବିଭାଗା କେହି ଦୁବୁର୍ତ ଦନ୍ତାଟିର ଦାନ୍ତ କାଟି ନେଇଥିବା ବେଳେ ଘଟଣାସ୍ଥଳରେ ବନବିଭାଗର ବରିଷ୍ଠ ଅଧିକାରୀ ମାନେ ପହଂଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ସୋମବାର ପୂର୍ବାହ୍ନରେ ଅତିରିକ୍ତ ପିସିସିଏଫ ଶଶୀ ପାଲ ଓ ରାଉରକେଲା ଆରସିସିଏଫ ଭଞ୍ଜ କିଶୋର ସ୍ୱାଇଁ,କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ବନ୍ୟଜନ୍ତୁ ଶିକାର ନିମନ୍ତେ ବିଛାଯାଇଥିବା ୧୧ କେଭିଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲୁଟିଆଇ)ର ପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ର ଓ ଯୋଡା ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ଘଟଣାସ୍ଥଳରେ ମୃତହାତୀଙ୍କର ବ୍ୟବଚ୍ଛେଦ କରିଛନ୍ତି । ରବିବାର ଅପରାହ୍ନରେ ଯୋଡା ବନବିଭାଗର ପେଟ୍ରୋଲିଂ ଟିମ୍ ଦୁଇଟି ହାତୀଙ୍କ ମୃତଦେହ ଠାବ କରିଥିଲେ । ଯୋଡା ଥାନା ଗୁରୁବେଡା ଛକ ଠାରୁ ଅଧ କିଲୋମିଟର ଦୂର ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ମୃତହାତୀଙ୍କ ମୃତଦେହ ପଡି ରହିଥିଲା । ଦନ୍ତାହାତୀର ଶୁଣ୍ଢରେ ଏକ କ୍ଷତଚିହ୍ନ ରହିଥିବା ବେଳେ ଦାନ୍ତକୁ ଦୁବୁର୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟି ନେଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ । ସେହିପରି ହାତୀର ମୃତଦେହ ନିକଟରୁ କିଛି ରଡ ବାଇଣ୍ଡିଙ୍ଗ ତାର ଓ ଇନ୍ସୁ୍ୟଲେଟର ମିଳିଥିବା କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି । ହାତୀଙ୍କ ମୃତଦେହ ପଡିଥିବା ସ୍ଥାନ ଠାରୁ ୫୦ ମିଟର ଦୂର ରାସ୍ତାକଡରେ ଯାଇଥିବା ୧୧ କେଭିଏ ବିଦ୍ୟୁତ ଖୁଣ୍ଟର ତାର ସହ ବାଇଣ୍ଡିଙ୍ଗ ତାରକୁ ସଂଯୋଗ କରି ଶିକାର ପାଇଁ ଜାଲ ପକାଇଥିଲେ ଶିକାରୀ । ଯାହାପଳରେ ହାତୀ ସେହିବାଟ ଦେଇ ଯିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବନବିଭାଗ କହୁଛି । ଏଣୁ ଶିକାରୀ ଉଭୟ ହାତୀଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା କରିଥିବା ନେଇ ସନେ୍ଦହ ଦୃଢୀଭୂତ ହୋଇଛି । ମୃତ ମାଈହାତୀର ବୟସ ପାଖାପାଖି ୩୦ ଓ ଅଣ୍ଡିରା ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ ୩ ମାସ ମଧ୍ୟରେ ଚମ୍ପୁଆ ବନାଞ୍ଚଳରେ ୪ ହାତୀଙ୍କ ମୃତ୍ୟୁ ଘଟିଛି । ବାମେବାରୀ ସେକ୍ସନର କାଶିଆ ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବେଳେ ଗତ ୨୪ ତାରିଖରେ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା । ଏହାପରେ ରବିବାର ଏକସଙ୍ଗେ ୨ଟି ହାତୀଙ୍କ ମୃତଦେହ ମିଳିବା ବନବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାତୀ ସୁରକ୍ଷା ପାଇଁ କାମ୍ପା ଫଣ୍ଡରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯୋଜନା ପରେ ଯୋଜନା ମଧ୍ୟ କରାଯାଉଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବା ନିମନ୍ତେ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ରହିଛନ୍ତି । ଏସବୁ ସତ୍ୱେ ଗୋଟିଏ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ଘଟିବା କେନ୍ଦୁଝର ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରେ ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମ,ସହକାରୀ ବନ ସଂରକ୍ଷକ ଅଜୟ ସାହୁ,ଯୋଡା ଫରେଷ୍ଟର ପିଅନ ନାଏକ,ବାମେବାରୀ ଫରେଷ୍ଟର ଯତିନ୍ଦ୍ର ସାହୁ,ଚମ୍ପୁଆ ଫରେଷ୍ଟର କ୍ଷୀରୋଦ ଦାସ,ଉଖୁଣ୍ଡା ଫରେଷ୍ଟର ଭାଗିରଥୀ ମିଶ୍ର,ବିଲେଇପଦା ଫରେଷ୍ଟର ପ୍ରଦୀପ ବେହେରା,କେନ୍ଦୁଝର ଫରେଷ୍ଟର ଶରତ ପଟ୍ଟନାୟକ,ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ ପ୍ରମୁଖ ଚମ୍ପୁଆ ଓ ବଡବିଲ ବନାଞ୍ଚଳର ଅଧିକାରୀ ମାନେ ଉପସ୍ଥିତ ରହିଥିଲୋ ତଦନ୍ତ ନିମନ୍ତେ ଭୁବନେଶ୍ୱରରୁ ଘଟଣାସ୍ଥଳକୁ ଆସିଥିବା ବନବିଭାଗର ଅତିରିକ୍ତ ପିସିସିଏଫ ଶଶୀ ପାଲଙ୍କ କହିବାନୁଯାୟୀ ଏହା ଏକ ଅତି ଦୁଃଖ ଘଟଣା । ହାତୀଭଳି ବନ୍ୟପ୍ରାଣୀର ମୃତ୍ୟୁ ହେବା ହାତୀ ସମ୍ପଦର ବ୍ୟାପକ କ୍ଷତି । ପ୍ରାଥମିକ ଅନୁସନ୍ଧାନ ଓ ପରିପାର୍ଶ୍ଵିକ ସ୍ଥିତିରୁ ଯାହା ଲାଗୁଛି କୌଣସି ଛୋଟ ପ୍ରାଣୀ ଯେପରିକି ବାରହା,କୁଟୁରା ଆଦିକୁ ଶୀକାର କରିବା ଲକ୍ଷ୍ୟରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏଦୁଇ ହାତୀଙ୍କ ମୃତ୍ୟୁ ହୋଇଥାଇପାରେ । ଏଘଟଣାର ଅଧିକ ତଦନ୍ତ ନିମନ୍ତେ ସ୍ଥାନୀୟ ପୋଲିସର ସହାୟତା ନିଆଯାଇଛି । ହାତୀ ମୃତ୍ୟୁ ପଛରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଖୁବଶୀଘ୍ର ଖୋଜି ବାହାର କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ତଥା କର୍ତବ୍ୟରେ ଅବହଳୋ ସ୍ୱରୂପ ଯୋଡା ଫରେଷ୍ଟ ସେକ୍ସନର ଫରେଷ୍ଟର ଓ ଜୁରୁଡି ବିଟର ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛିା ସେପଟେ ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ଶିକାରୀ ତଥା ଅପରାଧୀଙ୍କ କୌଣସି ଟେର ପାଇନାହିଁ ବନବିଭାଗ ।

Leave A Reply

Your email address will not be published.

five + 6 =