ରଥଉପରେ ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ: ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ୩ଠାକୁରଙ୍କ ସମ୍ମୁଖରେ ୩ଟି ଲେଖାଁଏ ୯ଟି ବଡ ମାଟିପାତ୍ରରେ ଏହି ଅଧରପଣା ନୀତି ପାରମ୍ପରିକ ଭାବେ ସମ୍ପନ୍ନ ହୋଇଛି । ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯାଇଥିଲା । ସେବାୟତମାନେ ପଣା ଲାଗି କରିବା ପରେ ହାଣ୍ଡିଗୁଡିକୁ ରଥ ଉପରେ ହିଁ ଭାଙ୍ଗିଦେଇଥିଲେ । ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ରଥର ପାର୍ଶ୍ୱ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ ।ସୂଚନାଯୋଗ୍ୟ ଯେ, ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିଥିଲେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିଥିଲେ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯାଇଥିଲା ।
ସୂଚନାଯୋଗ୍ୟ ଯେ, ନବଦିନ ବ୍ୟାପୀ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ , ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବାହୁଡିବା ପରେ ଗତକାଲି ରଥଉପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଆଜି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନିକଟରେ ଅଧରପଣା ଲାଗି ହୋଇଛି । ଗତବର୍ଷ ପରି ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ବେଳେ ଗତକାଲି ସୁନା ବେଶ ଏବଂ ଆଜି ଅଧରପଣା ନୀତି ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ଦୂରଦର୍ଶନରେ ଏହାର ସିଧାପ୍ରସାରଣ ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ନୀତି ଦେଖିବାକୁ ସୁଯୋଗ ପାଇଛନ୍ତି । ଏଥିପାଇଁ ପୁରୀ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ମହାବାହୁ ନୀଳକନ୍ଦରକୁ ବିଜେ କରିବେ ।

Leave A Reply

Your email address will not be published.

one × 4 =