ପୁରୀ: ନବଦୀନ ବ୍ୟାପୀ ଘୋଷଯାତ୍ରା ପରେ ରଥଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନାରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମହାମାରୀ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ର ଜନଶୂନ୍ୟ ହୋଇଯାଇଥିଲେ ମଧ୍ୟ ଶ୍ରୀଜିଉମାନଙ୍କ ସୁନାବେଶ ଟିଭିମାଧ୍ୟମରେ ଭକ୍ତ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ଅପରାହ୍ନରୁ ଭକ୍ତମାନେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିଛନ୍ତି । ରାତି ୧୨ଟା ପର୍ଯ୍ୟନ୍ତ ରଥଉପରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି ।
ଆଜି ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ପାରମ୍ପରିକ ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟାରେ ସେବାୟତ ମାନେ ଭଣ୍ଡାର ଘରୁ ମହଣ ମହଣ ସୁନା ଆଣି ଶ୍ରୀଜିଉମାନଙ୍କୁ ସଜେଇଥିଲେ । ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜିଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ପୂର୍ଣ୍ଣାଙ୍ଗ ରୂପ ଭକ୍ତ ଦର୍ଶନ କରିଛନ୍ତି । ବର୍ଷକରେ ମାତ୍ର ଗୋଟିଏ ଥର ରଥ ଉପରେ ସୁନାବେଶରେ ଶ୍ରୀଜିଉମାନଙ୍କ ପୂର୍ଣ୍ଣାଙ୍ଗ ରୂପ ଭକ୍ତ ଦର୍ଶନ କରିଥାଏ । ରଥଉପରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ରଥଗୁଡକ ଚର୍ତୁପାଶ୍ୱରେ ଏବଂ ଶ୍ରୀକ୍ଷେତ୍ରରେ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାହଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୭୦ପ୍ଲାଟୁନ୍ରୁ ଅଧିକ ପୋଲିସ୍କୁ ମୁତୟନ କରାଯାଇଛି । ଆଷାଢ଼ ଏକାଦଶୀରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ବେଶ ଆରମ୍ଭ ହୁଏ । ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟେ୍ରଟ୍, ପୁଲିସ୍ ଓ ମନ୍ଦିର ଅଧିକାରୀଙ୍କ ସହାୟତାରେ ସୁନା ଅଳଙ୍କାର ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ଆସେ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ସେବକମାନେ ରଥ ଉପରେ ରହି ଚତୁର୍ଦ୍ଧା ମୂର୍ତିଙ୍କୁ ସୁନାରେ ସଜ କରାନ୍ତି । ବେଶ ପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗେ । ଚତୁର୍ଦ୍ଧା ମୂର୍ତି ପ୍ରାୟ ୨ କୁଇଣ୍ଟାଲ ୮ କେଜି ସୁନାରେ ସଜେଇ ହୁଅନ୍ତି । ଏସବୁ ବର୍ଷ ସାରା ଶ୍ରୀମନ୍ଦିରର ଟ୍ରେଜେରି ତଥା ଭିତର ଭଣ୍ଡାରଗୃହରେ ରହିଥାଏ । ଶ୍ରୀମନ୍ଦିରର ‘ରେକର୍ଡ ଅଫ୍ ରାଇଟ୍ସ’ ମୁତାବକ, ମହାପ୍ରଭୁଙ୍କ ପାଇଁ ନିର୍ମିତ ମାଳ ବା ହାର ୧୨୦ ତୋଳା ତଥା ୧.୪ କେଜିର । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ସୁନା ହାତ ଓ ପାଦର ଓଜନ ଯଥାକ୍ରମେ ୮୧୮ ତୋଳା ତଥା ୯.୫୪ କେଜି ଏବଂ ବଳଭଦ୍ରଙ୍କର ୭୧୦ ତୋଳା ତଥା ୮.୨୮ କେଜି । ଶ୍ରୀଜଗନ୍ନାଥଙ୍କ ମୁକୁଟ ୬୧୦ ତୋଳା ତଥା ୭.୧୨ କେଜି, ବଳଭଦ୍ରଙ୍କର ୪୩୪ ତୋଳା ତଥା ୫ କେଜି ଏବଂ ଦେବୀ ସୁଭଦ୍ରାଙ୍କର ୨୭୪ ତୋଳା ତଥା ୩.୨ କେଜି ଓଜନ ବିଶିଷ୍ଟ । ପ୍ରଥମେ ସୁନାବେଶ ବେଳେ ମହାପ୍ରଭୁ ୧୩୮ପ୍ରକାର ଶୌଳୀରେ ନିର୍ମିତ ଅଳଙ୍କାର ପରିଧାନ କରୁଥିଲେ । କିନ୍ତୁ କାଳକ୍ରମେ ଏହା ୩୦ ମଧ୍ୟରେ ସୀମିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଅଧର ପଣା ନୀତି ପରେ ଶ୍ରୀଜିଉମାନେ ନିଳାଦ୍ରୀ ବିଜେ କରିବେ ।