ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ବିଭ୍ରାଟକୁ ଏ.ଆଇ.ଡି.ଏସ୍.ଓ ର ଦୃଢ ନିନ୍ଦା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ ବିଭିନ୍ନ ମହିଳା ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷବର୍ଷ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଘଟଣାରେ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ ଏକ ପ୍ରେସ୍ ବିବୃତି ମାଧ୍ୟମରେ ରାଜ୍ୟର ହଜାର ହଜାର ଛାତ୍ରୀମାନଙ୍କ କ୍ୟାରିୟର ଓ ଭବିଷ୍ୟତ ସହିତ ଖେଳ ଖେଳୁଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭୟଙ୍କର କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇ ବିଭିନ୍ନ ପରୀକ୍ଷା ଦେବା ପାଇଁ ବାଧ୍ୟ କରୁଛନ୍ତି ଏବଂ ରମାଦେବୀ କର୍ତ୍ତୃପକ୍ଷ ଅତ୍ୟନ୍ତ ଖାମଖିଆଲି ଭାବେ ଛାତ୍ରୀମାନଙ୍କୁ ପରୀକ୍ଷା ଓ ପ୍ରଶ୍ନପତ୍ର ସମ୍ବନ୍ଧୀୟ କୌଣସି ନିୟମାବଳୀ ପୂର୍ବରୁ ପ୍ରଦାନ ନକରି ପରୀକ୍ଷାର ମାତ୍ର କେତେ ମିନିଟ୍ ପୂର୍ବରୁ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖକୁ ମେଲ୍ ପଠାଇଛନ୍ତି । ଫଳରେ ଅଫଲାଇନ୍ ଓ ଅନଲାଇନ୍ରେ ପରୀକ୍ଷା ଦେଉଥିବା ବହୁ ଛାତ୍ରୀ ପରୀକ୍ଷାର ନିୟମାବଳୀ ବିଶେଷକରି କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ସେ ବିଷୟରେ ସଠିକ ଭାବରେ ଜାଣି ପାରିନାହାନ୍ତି । ଫଳସ୍ୱରୂପ ହଜାର ହଜାର ଛାତ୍ରୀ ବର୍ତ୍ତମାନ ସେମାନଙ୍କର ପରୀକ୍ଷାର ମୂଲ୍ୟାୟନ, ଫଳାଫଳ ଓ କ୍ୟାରିୟରକୁ ନେଇ ମାନସିକ ଚାପ ଓ ଦ୍ୱନ୍ଦ୍ୱ ମଧ୍ୟ ଦେଇ ଗତି କରୁଛନ୍ତି । କର୍ତ୍ତୃପକ୍ଷଙ୍କ ବେପରୁଆ ଓ ଖାମଖିଆଲି କ୍ଷତିପାଇଁ କୌଣସି ପରିସ୍ଥିତିରେ ରାଜ୍ୟର ହଜାର ହଜାର ଛାତ୍ରୀମାନଙ୍କର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ଚଳିବ ନାହିଁ । ନଚେତ୍ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

16 − 12 =