ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବିରୋଧରେ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଛି ରାଜ୍ୟର ଏକାଧିକ କୃଷକ ସଂଗଠନ । ପ୍ରାୟ ୧୫ଟି କୃଷକ ସଂଗଠନ ଓ ୮ଟି ବାମଦଳ ପକ୍ଷରୁ ରାଜଧାନୀ ଭୁବଶ୍ୱେରରେ ବିକ୍ଷୋଭ, ନାରାବାଜି, ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ଦାହ କରିଥିଲେ । ଏଜି ଛକ, ମାଷ୍ଟରକ୍ୟାଂଟିନ୍ ଛକ, କୃଷି ଭବନ, ଲୋକସେବା ଭବନ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ହୋଇଥିଲା । ପୋଲିସ ଶତାଧିକ ଆନେ୍ଦାଳନକାରୀଙ୍କୁ ଅଟକ ରଖିବା ପରେ ଛାଡି ଦେଇଥିଲା । ସାଧାରଣ ଜନଜୀବନ ସ୍ୱାଭାବିକ ରହିଥିବା ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନ ଥିଲା । ସୁରକ୍ଷା ଦାୟିତ୍ୱରେ କମିସନରେଟ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ସକାଳେ କୃଷି ଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନ, ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ୱୟ ସମିତି ସମେତ ଏକାଧିକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି ଦେଇଥିଲେ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଏହି ଆଇନ କାର୍ଯ୍ୟକାରୀ ହେଲେ ଭାଗଚାଷୀ ନିଶ୍ଚିହ୍ନ ହୋଇଯିବେ । ଚାଷୀ ନିଜର ପରିଚୟ ହରାଇବା ବନ୍ୟା, ବାତ୍ୟା ମରୁଡ଼ି ଭଳି ପରିସ୍ଥିତିରେ କଳାବଜାରୀ ବଢ଼ିଯିବା ତେଣୁ କେନ୍ଦ୍ର ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ନଚେତ୍ ଆଗାମୀ ଦିନରେ ଦେଶବ୍ୟାପୀ ଆନେ୍ଦାଳନ ତୀବ୍ରତର କରାଯିବ । ଅଲ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫କୁ ସଂଶୋଧନ କରିବା, କଂଟ୍ରାକ୍ଟ ଫାର୍ମିଂ, ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ, ବିପଣନ କମିଟିଗୁଡିକୁ ଭାଙ୍ଗିବା ଇତ୍ୟାଦି ପାଇଁ ଯେଉଁ ବିଧେୟକ ଗୃହୀତ ହୋଇଛି ତାହା ଭାରତବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଂଟି । ଏଥିରେ ଓଡ଼ିଶାର ୯୨ ପ୍ରତିଶତ ଚାଷୀ ପ୍ରଭାବିତ ହେବେ । ଲୋକସେବା ଭବନର ୬ ନମ୍ବର ଫାଟକରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ବ୍ୟାନର ଲଗାଇବା ସହ ବିକ୍ଷୋଭ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ଆଣିଥିଲା । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ନବନିର୍ମାଣ କୃଷକ ସଂଗଠନର ଯୁବଛତ୍ର ଶାଖର ୫୦ରୁ ଅଧିକ ଆନେ୍ଦାଳନକାରୀ କଳ୍ପନା ଛକରୁ ଲୋକସେବା ଭବନ ଅଭିମୁଖେ ଏକ ବାଇକ୍ ଶୋଭାଯାତ୍ରାରେ ଆସୁଥିବା ବେଳେ ଏଜି ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ସେମାନଙ୍କ ଭିତରେ ଧସ୍ତାଧସ୍ତି ହେବା ସହ ଆନେ୍ଦାଳନକାରୀଙ୍କୁ ପୋଲିସ ଅଟକ ରଖିଥିଲା । ଶିଶୁପାଳଗଡ଼ରେ ଏଆଇଡିଏସ୍ଓ ଏବଂ ଏସ୍ୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ମାଷ୍ଟରକ୍ୟାଂଟି ଛକରେ ସମସ୍ତ କୃଷକ ସଂଗଠନ ଓ ବାମଦଳ ଏକାଠି ହୋଇଥିଲେ । ସେଠାରେ ବଢ଼ଧରଣର ବିକ୍ଷୋଭ, ନାରାବାଜି ପ୍ରଦର୍ଶନ କରା ଯାଇଥିଲା । ଅଖିଲ ଭାରତ କୃଷକ ସଭା, ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା, ଅଖିଳ ଭାରତ କୃଷକ ସଭା, ଇଣ୍ଡିଆନ ସୋସିଆଲ୍ ଆକ୍ସନ ଫୋରମ୍, ଆମ ଅଧିକାର, ସିସିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଫରୱାର୍ଡ ବ୍ଲକ୍, ଏଆଇଏସ୍ ଏଫ୍, ଏଆଇଟିୟୁସି, ସିଆଇଟିୟୁ, କ୍ଷେତ ମଜଦୁର୍ ୟୁନିଅନ୍, ହିନ୍ଦି ମଜଦୁର ସଭା ବିକ୍ଷୋଭରେ ସାମିଲ ହୋଇଥିଲେ ।