ରାଜ୍ୟକୁ ବହୁ ବିମାନ ଉଡାଣ ବାତିଲ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଛି । ଏବେ ବି ଟ୍ରେନ୍ ଓ ବିମାନ ଯାତାୟାତ କରୁଛି । ହେଲେ ବିମାନରେ ଯାତ୍ରୀ ହେଉନାହାନ୍ତି । ଅଧିକାଂଶ ବିମାନରେ ଯାତ୍ରୀ ହେଉନଥିବାରୁ ବିମାନ ସଂସ୍ଥାଗୁଡ଼ିକ ଏବେ ବହୁ ବିମାନ ଉଡ଼ାଣ ବାତିଲ୍ କରିଦେଲେଣି । ଭୁବନେଶ୍ୱରକୁ ଦୈନିକ ୪୦ରୁ ୪୨ଟି ଆସୁଥିବା ବେଳେ ସମାନସଂଖ୍ୟକ ବିମାନ ଯାଉଥିଲା । କିନ୍ତୁ ଏବେ ଏହା ୧୮ରୁ ୨୦କୁ ଖସି ଆସିଛି । ବିଜୁ ପଟ୍ଟନାୟକ ବିମାନବନ୍ଦର ଜଣେ ବରିÂ ଅଧିକାରୀଙ୍କ କହିବାନୁଯାୟୀ, କରୋନା ପାଇଁ ଦିଲ୍ଲୀ, ମୁମ୍ବାଇ ଓ କୋଲକତାରୁ ଆସୁଥିବା ବିମାନଗୁଡିକ ଏବେ ପ୍ରଭାବିତ ହୋଇଛି । ବହୁ ବିମାନ ଉଡ଼ାଣ ବାତିଲ୍ ହୋଇଛି । ଏହି ତିନିଟି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏଠାରୁ ଯାତ୍ରାମାନେ ଯେଉଁ ହାରରେ ଆସୁଛନ୍ତି, ସେଠାକୁ ସେହିଭଳି ଯାତ୍ରୀ ଯାଉନାହାନ୍ତି । ଫଳରେ ବହୁ ବିମାନ ଏଠାରୁ କମ୍ ଯାତ୍ରୀରେ ଯାଉଛି । ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, କରୋନାର ପ୍ରଥମ ପର୍ଯ୍ୟାୟରେ ବିମାନ ସେବା ବନ୍ଦ ହୋଇ ପୁଣି ଚାଲିବା ପରେ ସ୍ୱାଭାବିକ ହେବାକୁ ନଭେମ୍ବର-ଡିସେମ୍ବର ମାସ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ପ୍ରଭାବିତ ହୋଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ ବିମାନ ଉଡ଼ାଣ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏପ୍ରିଲ ୧୫ ପରଠାରୁ ଅଧିକ ପ୍ରଭାବିତ ହୋଇଛି । ଏପ୍ରିଲ ୪ରେ ସର୍ବାଧିକ ୩୫ଟି ବିମାନ ଆସିଥିବା ବେଳେ ଏଥିରେ ୪୩୯୬ ଜଣ ଯାତ୍ରୀ ଆସିଥିଲେ । ଏହି ଦିନ ୩୬ଟି ବିମାନ ଯାଇଥିବା ବେଳେ ୫୦୬୨ ଜଣ ଯାତ୍ରୀ ଯାଇଥିଲେ । କିନ୍ତୁ ଏପ୍ରିଲ ୨୨ରେ ଭୁବନେଶ୍ୱରକୁ ୧୮ଟି ବିମାନ ଆସିଥିବା ବେଳେ ଏଥିରେ ୧୬୭୫ ଜଣ ଯାତ୍ରୀ ଆସିଥିଲେ । ଏଠାରୁ ୧୮ଟି ବିମାନ ଯାଇଥିବା ବେଳେ ଏଥିରେ ମାତ୍ର ୯୩୧ ଜଣ ଯାତ୍ରୀ ଯାଇଛନ୍ତି । ହଠାତ୍ ଯାତ୍ରୀଙ୍କ ସଂଖ୍ୟା କମିବାର ବିଭିନ୍ନ କାରଣ ରହିଛି । ପ୍ରଥମତଃ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଅଧିକ ରହିଥିବାରୁ ସେଠାକୁ ଲୋକ ଏବେ ଯାଉନାହାନ୍ତି । ଯେଉଁମାନଙ୍କର ଜରୁରୀ କାର୍ଯ୍ୟ ଅଛି, ସେମାନେ ଯାଉଛନ୍ତି । ଦ୍ୱିତୀୟତଃ ଭୁବନେଶ୍ୱର ବିମାନବନ୍ଦରରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ୭୨ ଘଂଟା ମଧ୍ୟରେ ଆରଟି-ପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବା କିମ୍ବା ଦୁଇ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଫଳରେ ଯେଉଁ ଯାତ୍ରୀମାନେ ଯାତ୍ରୀ ପୂର୍ବରୁ ଏହା ଯୋଗାଡ କରିପାରୁନାହାନ୍ତି ସେମାନେ ବିମାନରେ ଆସୁନାହାନ୍ତି । ବେଙ୍ଗାଲୁରରୁ ଆଜି ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ ଯେଉଁ ଯାତ୍ରୀଙ୍କ ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଛି କିମ୍ବା ଟିକା ସାର୍ଟିଫିକେଟ୍ ଅଛି ସେମାନଙ୍କୁ ଗୋଟିଏ ବିମାନରେ ବୋର୍ଡିଂ କରାଯାଇଥିବା ବେଳେ ଯେଉଁମାନଙ୍କର ଏହା ନଥିଲା ସେମାନଙ୍କୁ ଆଉ ଏକ ବିମାନରେ ପଠାଇବାକୁ ଟର୍ମିନାଲରେ ଅଟକ ରଖାଯାଇଥିଲା । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ଯାଉଥିବା କିଛି ବିମାନ ହଠାତ୍ ଶେଷ ମୁହୂର୍ତରେ ବାତିଲ୍ ହୋଇଯାଇଥିବାରୁ ବିମାନବନ୍ଦରରେ ଯାତ୍ରୀମାନେ ହସ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ବିମାନବନ୍ଦର କତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୧ରେ ୨୪ଟି ବିମାନ ଆସିଥିବା ବେଳେ ୨୪ଟି ବିମାନ ଯାଇଥିଲା । ଏଥିରେ ୨୦୧୭ ଜଣ ଯାତ୍ରୀ ଆସିଥିବା ବେଳେ ୧୫୪୪ ଜଣ ଯାଇଥିଲେ । ଏପ୍ରିଲ ୨୦ରେ ୨୧ଟି ବିମାନରେ ୧୬୦୩ ଜଣ ଆସିଥିବା ବେଳେ ୨୧ଟି ବିମାନରେ ୧୩୭୭ ଜଣ ଯାଇଥିଲେ । ଏପ୍ରିଲ ୧୯ରେ ୨୨ଟି ବିମାନରେ ୧୯୨୫ ଜଣ ଆସିଥିବା ବେଳେ ୨୩ଟି ବିମାନରେ ୧୬୪୨ ଜଣ ଯାଇଥିଲେ । ଏପ୍ରିଲ ୧୮ରେ ୨୯ଟି ବିମାନରେ ୨୯୦୪ ଜଣ ଯାତ୍ରୀ ଆସିଥିବା ବେଳେ ୨୯ଟି ବିମାନରେ ୨୭୯୮ ଜଣ ଯାଇଥିଲେ ।

Leave A Reply

Your email address will not be published.

fifteen + twelve =