ରାଜ୍ୟରେ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏଥିନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଗାଇଡଲାଇନ୍ ପାଳନ ପୂର୍ବକ ପୁଣିଥରେ ମେଡିକାଲ କଲେଜ, ନର୍ସିଂ, ଫାର୍ମାସି, ପାରାମେଡିକାଲ ଅନୁଷ୍ଠାନ ଖୋଲିବା ପାଇଁ ଏସିଏସ୍ ଚିଠି ଲେଖିଛନ୍ତି ।
ତେବେ ମେଡିକାଲ କଲେଜ ଖୋଲିବା ପରେ ସେଠାରେ ବିଭିନ୍ନ କଥାକୁ ଧ୍ୟାନ ଦେବାକୁ କୁହାଯାଇଛି । ଯେପରିକି, ଥିଓରି କ୍ଲାସ ପୂର୍ବଭଳି ଅନଲାଇନରେ ଜାରି ରହିବ । ପ୍ରାକ୍ଟିକାଲ କ୍ଲାସ ପାଇଁ ପିଲାମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇ କ୍ଲାସ୍ ହେବ । କ୍ଲାସରେ ଯୋଗଦେବାକୁ ହେଲେ ପିଲାମାନଙ୍କୁ ସେମାନଙ୍କର ଅଭିଭାବକଙ୍କଠାରୁ ଅନୁମତି ଆଣିବାକୁ ହେବ । ତା ସହିତ ଶିକ୍ଷାନୁଷ୍ଠାନ ପିଲାମାନଙ୍କର ସ୍କ୍ରିନିଂ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଏହାସହିତ କ୍ୟାମ୍ପସରେ ପିଲାମାନେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା କିଭଳି ପାଳନ କରିବେ ସେନେଇ ଦୃଷ୍ଟି ଦେବାକୁ ଏସିଏସି ଚିଠିରେ ଦର୍ଶାଇଛନ୍ତି । ଯେଉଁ ପିଲାମାନେ ଟିକାକରଣ କରିନାହାଁନ୍ତି କିମ୍ବା ଗୋଟିଏ ଡୋଜ୍ ନେଇଛନ୍ତି ସେମାନଙ୍କୁ ଅଲଗା କରି କ୍ଲାସ କରିବାକୁ କୁହାଯାଇଛି । ତତ୍ ସହିତ ପିଲାଙ୍କର ନିୟମିତ ସ୍କ୍ରିନିଂ ଉପରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

eight − 6 =