ରାଜ୍ୟରେ ୧୦୮୨ଟି ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଜଙ୍ଗଲ ଜଳିବା ଘଟଣା ହ୍ରାସ ପାଇଛି । ଗତକାଲି ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଜଙ୍ଗଲ ନିକଟ ପାହାଡରେ ଲାଗିଥିବା ନିଆଁକୁ ପ୍ରଶମିତ କରାଯାଇଛି । ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତାଧୀନ ରହିଥିବା ନେଇ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି । ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ ଗତକାଲି ତୁଳନାରେ ଆଜି ଓଡିଶାରେ ଜଙ୍ଗଲ ନିଆଁ ବୃଦ୍ଧି ପାଇଛି । ଦେଶରେ ୩୯୮ଟି ସ୍ଥାନରେ ବଡଧରଣର ଜଙ୍ଗଲ ଜଳୁଥିବା ବେଳେ ଓଡିଶାର ୬୨ଟି ସ୍ଥାନରେ ନିଆଁ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୦୦ରୁ ଅଧିକ ସ୍ଥାନରେ ନୂତନ ଭାବେ ଜଙ୍ଗଲ ନିଆଁ ନଜରକୁ ଆସିଛି । ଗତକାଲି ମାତ୍ର ୨୧୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୧୦୮୨ରେ ପହଞ୍ଚିଛି । ବାରିପଦା ସର୍କଲ ତଥା ଶିମିଳିପାଳରେ ଜଙ୍ଗଲ ନିଆଁ ସାମାନ୍ୟ କମିଛି । ତେବେ ଦକ୍ଷିଣ ଓଡିଶାର ଅଧିକାଂଶ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ବ୍ରହ୍ମପୁର ସର୍କଲରେ ସର୍ବାଧିକ ୩୧୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ରାଉରକେଲା ସର୍କଲରେ ୧୫୫, ସମ୍ବଲପୁର ସର୍କଲରେ ୧୪୩, ଅନୁଗୁଳ ସର୍କଲରେ ୧୩୫, ବାରିପଦା ସର୍କଲରେ ୧୧୧, କୋରାପୁଟ ସର୍କଲରେ ୧୦୯, ଭବାନୀପାଟଣା ସର୍କଲରେ ୯୯ ଓ ଭୁବନେଶ୍ୱର ସର୍କଲରେ ୨୪ଟି ସ୍ଥାନରେ ଜଙ୍ଗଲ ନିଆଁ ନଜରକୁ ଆସିଛି । ଟାସ୍କଫୋର୍ସଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତି ସମ୍ପୂର୍ଣ୍ଣ ଆୟତାଧୀନ ରହିଛି । ଲୋକଙ୍କ ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ଅଗ୍ନିପ୍ରବଣ ଅଞ୍ଚଳ ସହ ହଟସ୍ପଟ୍ଗୁଡିକର ଜଙ୍ଗଲ ନିଆଁକୁ ଦମନ କରାଯାଉଛି ।

Leave A Reply

Your email address will not be published.

5 × two =