ରାଜ୍ୟର ୪ ଅଲମ୍ପିକ୍ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଚମତ୍କାରର ପ୍ରଦର୍ଶନ କରିଥିବା ଓଡ଼ିଶାର ଭାରତୀୟ ପୁରୁଷ ହକି ଟିମର ୨ଜଣ ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ପୁରୁଷ ହକି ଟିମ୍ର ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫କୋଟି ଟଙ୍କାର ପୁରସ୍କାର ସହ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଟେଣ୍ଡେଣ୍ଟ (ଡିଏସ୍ପି) ଭାବରେ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେହିପରି ୨ଜଣ ମହିଳା ହକି ଖେଳାଳି ନମିତା ଟପ୍ପୋ ଓ ଦୀପ୍ଗ୍ରେସ୍ ଏକ୍କାଙ୍କୁ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଟୋକିଓ ଅଲିମ୍ପିକରେ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରଦର୍ଶନକୁ ପ୍ରଶଂସା କରି ଖେଳାଳିଙ୍କୁ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଉତ୍ସବରେ କୃତିତ୍ୱ-ପ୍ରଦର୍ଶନ କେନ୍ଦ୍ର ଏବଂ ସ୍ପୋର୍ଟସ ହଷ୍ଟେଲର ହକି ଖେଳାଳିମାନେ ଉପସ୍ଥିତ ଥିଲେ । କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ୍ ଏହି ସମାରୋହରେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ୧୬ ତାରିଖ ଦିନ ଭାରତୀୟ ପୁରୁଷ ହକି ଟିମ୍ ଓ ୧୭ ତାରିଖ ଦିନ ଭାରତୀୟ ମହିଳା ହକି ଟିମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳିଙ୍ଗଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

eighteen − five =