ତାଳଚେର: ରାଣୀ ପାର୍କ ଉନ୍ନୟନ ପରିଷଦର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ବସ ମାଲିକ ସଂଘ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬ ଶହ ଏକର ରୁ ଉଦ୍ଧ୍ୱର୍ ପରିମିତ ଏହି ରାଣିପାର୍କ ଜଙ୍ଗଲକୁ ରାଜ୍ୟ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ବହୁଥର ତାଳଚେରବାସୀ ରାଣୀପାର୍କକୁ ଦ୍ୱିତୀୟ ଚିଡିଆଖାନାରେ ପରିଣତ କରିବାକୁ ରାଜ୍ୟସରକାରଙ୍କ ନିକଟରେ ଦାବି ରଖିଥିଲେ । ସେହିପରି ପୁନର୍ବାର ରାଣୀପାର୍କକୁ ହରିଣ ପାର୍କରେ ପରିଣତ କରିବାକୁ ମଧ୍ୟ ଦାବି ହୋଇଥିଲା । ରାଜା ରାଜୁଡା ଅମଳର ଏହି ରାଣୀପାର୍କ ରେ ୬ ଶହ ଏକର ଜଙ୍ଗଲର ଘଂଚ ସବୁଜ ବଳୟ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲରେ ପଶୁପକ୍ଷୀଙ୍କ ପାଇଁ ଏକ ବଡ ପୋଖରୀ ଖୋଳାଯାଇଛି । ଗତ ଦୁଇ ବର୍ଷ ହେଲା ନାଲକୋରୁ କିଛି ହରିଣ ଆଣି ଏହି ଜଙ୍ଗଲରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଇଥିଲା । ଚାରିପାଖରେ ପାଚେରି ନିର୍ମାଣ କରି ଜଙ୍ଗଲକୁ ସୁରକ୍ଷିତ ରଖିଲେ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବା ସହ ଗ୍ରୀଷ୍ମ କାଳରେ ଅତ୍ୟଧିକ ତାତିରୁ ମଧ୍ୟ ରକ୍ଷା ମିଳିପାରିବ । ରାଣୀପାର୍କ ନଦୀକୁ ମିଶାଇ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିବା ପାଇଁ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ । ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଦେବୀଦତ ବିଶ୍ୱାଳ ପତ୍ର ସଂଖ୍ୟା (୩୮/୨୦୧୨) ରେ ରାଣୀପାର୍କକୁ ହରିଣ ପ୍ରକଳ୍ପ ଭାବେ ଗଢ଼ିବାକୁ ରାଜ୍ୟସରକାରଙ୍କ ସମ୍ମତି ଥିବା କଥା ନିଷ୍ପତି ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ଅଗ୍ରଗତି ଘଟିନାହିଁ ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଣୀପାର୍କର ପୁନରୁଦ୍ଧାର କରାଯିବା, ଏହା ଚାରିପାଖେ ଉଚ୍ଚ ପାଚେରୀ ନିର୍ମାଣ କରି ଜଙ୍ଗଲ ସୁରକ୍ଷିତ ରଖିବା, ରାଣୀପାର୍କକୁ ଦ୍ୱିତୀୟ ଚିଡିଆଖାନା ଓ ହରିଣ ପାର୍କ କରାଯିବା ପାଇଁ ଖୁବ୍ ଶିଘ୍ର ପରିଷଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସ୍ଥିର ହୋଇଥିଲା । ପୂର୍ବତନ ନଗରପାଳ କେଶବ ଭୂତିଆଙ୍କ ସଭାପତିତ୍ୱରେ ଏହି ବୈଠକରେ ଆସନ୍ତା ୨ ବର୍ଷ ପାଇଁ ପରିଷଦର କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ରୂପେ ପରିବେଶବିତ୍ ବାଉରୀବନ୍ଧୁ ବେଜ, ଉପସଭାପତି ପ୍ରଦୀପ ମହାରଣା, ରଣଜିତ୍ ମହାପାତ୍ର, ସାଧାରଣ ସଂପାଦକ ବାପି ମହାନ୍ତି, ଯୁଗ୍ନ ସଂପାଦକ ବାବୁନି ସ୍ୱାଇଁ, ସୁଲେଖ ସେଠୀ, କୋଷାଧ୍ୟକ୍ଷ କରୁଣାକର ବାଇଙ୍କୁ ମନୋନିତ କରାଯାଇଥିଲା ।