ରାମ ମନ୍ଦିର ଆଗରେ ‘ଭିକ’ ମନା
ଭୁବନେଶ୍ୱର: ୟୁନିଟ-୯ ସ୍ଥିତ ରାମ ମନ୍ଦିର ଅଂଚଳକୁ ବିଏମ୍ସି ଭିକାରିକୁକ୍ତ ଅଂଚଳ ଘୋଷଣା କରିଛି । ଅର୍ଥାତ୍ ଏଠାରେ କେହି ଭିକ ମାଗିପାରିବେ ନାହିଁ । ଯଦି କେହି ଭିକ ମାଗୁଥିବା ଦେଖାଯାଏ ତେବେ ବିଏମ୍ସିଟିମ୍ ତାଙ୍କୁ ଉଠାଇନେଇ ନିକଟସ୍ଥ ଆଶ୍ରୟସ୍ଥଳୀରେ ଛାଡ଼ିଦେବ । କେବଳ ରାମମନ୍ଦିର ନୁହେଁ, ଐତିହ୍ୟ କୀର୍ତିରାଜିରେ ଭରପୂର ପୂରା ଭୁବନେଶ୍ୱରକୁ ଭିକାରିମୁକ୍ତ ଅଂଚଳ କରାଯିବ । କୌଣସି ପର୍ଯ୍ୟଟନସ୍ଥଳୀରେ କେହି ଭିଳ ମାଗିପାରିବେ ନାହିଁ ବୋଲି ବିଏମ୍ସି ନିୟମ କରିବାକୁ ଯାଉଛି । ଯିଏ ଭିକ ମାଗୁଥିବା ଦେଖାଯିବ ତାଙ୍କୁ ଉଠାଇ ଆଣି ସହରାଂଚଳ ଆଶ୍ରୟସ୍ଥଳୀରେ ରଖାାଯିବା । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ରାମ ମନ୍ଦିରକୁ ଭିକ୍ଷାବୃତି ମୁକ୍ତ ଅଂଚଳ କରିବା ପାଇଁ ରାମ ମନ୍ଦିରର ଟ୍ରଷ୍ଟି ଓ କର୍ମକର୍ତାଙ୍କୁ ଜଣାଇ ଦିଆଯାଇଛି । ଟ୍ରଷ୍ଟ ପକ୍ଷରୁ ହୋର୍ଡିଂ କିମ୍ବା ବ୍ୟାନର ଲଗାଇ ସାଧାରଣ ଲୋକ ଓ ଭିକାରିଙ୍କୁ ଏନେଇ ସଚେତନ କରିବାକୁ କୁହାଯାଇଛି । ନଗର ଉନ୍ନୟନ ବିଭାଗ ରାଜ୍ୟର କିଛି ମନ୍ଦିର ଅଂଚଳକୁ ଭିକ୍ଷାବୃତି ମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ସେହି ନିର୍ଦେଶନାମା ବଳରେ ବିଏମ୍ସି ଏବେ ରାମ ମନ୍ଦିର ସମ୍ମୁଖରେ ଭିକ ମାଗିବା ଉପରେ ରୋକ୍ ଲଗାଇଛି । ଯଦି କେହି ଭିକ୍ଷା ମାଗୁଥିବା ଦେଖାଯାଏ ତେବେ ତାଙ୍କୁ ମାଳିସାହିସ୍ଥିତ ସହରାଂଚଳ ଆଶ୍ରୟସ୍ଥଳୀ କିମ୍ବା ସୋସିଓ ଇକୁ୍ୟଟି ସେଂଟରକୁ ପଠାଯିବ । ବିଏମ୍ସି ପକ୍ଷରୁ ପତିତ ଉଦ୍ଧାର ସମିତି ଭିକାରିମାନଙ୍କୁ ସ୍ଥାନାନ୍ତର କରିବ । ଦୁଇ ଦିନ ହେଲା ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ୧୦ ଜଣ ଭିକାରିଙ୍କୁ ଦୁଇଟି ଯାକ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ସେଠାରେ ସେମାନଙ୍କୁ ମାଗଣାରେ ଖାଇବା, ପିଇବା, ରହିବା ବ୍ୟବସ୍ଥା କରାଯାଇଛି ।