ସମସ୍ୟାରେ ଵଇଁଶାପଡା ଗ୍ରାମବାସୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ର ଏକ କ୍ଷୁଦ୍ର ଗାଁ ହେଉଛି ଵଇଁଶାପଡା |ଗାଁଟି ୪0ବର୍ଷ ପୂର୍ବେ ବସିଥିଲା ଓ ଏହି ଗ୍ରାମର ସମସ୍ତ ପରିବାର ଗୌଡ଼ ସମ୍ପ୍ରଦାୟର |ଗ୍ରାମରେ ଅଛନ୍ତି 20ରୁ ଉର୍ଦ୍ଧ ପରିବାର |ହେଲେ ସ୍ୱାଧୀନତାକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗାଁ କୁ ଯିବାପାଇଁ ଏକ ପକ୍କା ରାସ୍ତାଟେ ହୋଇପାରିନି |ପୂର୍ବରୁ ଗ୍ରାମବାସୀ ବଣଜଙ୍ଗଲ ସଫାକରି ଗଛଲତା କାଟିକି ଯେଉଁ ରାସ୍ତାଟି ତିଆରି କରିଥିଲେ ଆଜି ବି ସେଇ ରାସ୍ତା ଉପରେ ନିର୍ଭର କରୁଛନ୍ତି ଏହି ଗାଁ ବାସିନ୍ଦା |ରାସ୍ତାଟି ଖାଲଢିପ, ନାଳନର୍ଦମାରେ ପରିପୂର୍ଣ୍ଣ |ରାସ୍ତାରେ ବଡ ବଡ଼ ପଥର ସବୁ ମୁଣ୍ଡ ଟେକିଛି, ତେଣୁ ଦୁଇ ଚକିଆ ଗାଡିକୁ ଛାଡିଦେଲେ ଅନ୍ୟ କୌଣସି ଗାଡି ଏହି ଗ୍ରାମକୁ ଯାଇପାରେନାହିଁ |ଫଳରେ ଅନେକ ସମୟରେ ଅନେକ ପ୍ରକାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ |ବିଶେଷକରି ଗୁରୁତର ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ମେଡିକାଲ ନେବାକୁ ହେଲେ ଖଟିଆରେ ଟ୍ରେଞ୍ଚ ତିଆରି କରି ତିନି କିଲୋମିଟର ପର୍ଯ୍ୟନ୍ତ ବୋହିବାକୁ ପଡିଥାଏ |ଭଇଁଶାପଡାଠାରୁ ମହଣ୍ଡି ଛକର ଦୂରତା ହେଉଛି ତିନି କିଲୋମିଟର |ତେଣୁ ଗୁରୁତର ରୋଗୀ ହେଉ କି ଗର୍ଭବତୀ ମହିଳା, ଭଇଁଶାପଡାଠାରୁ ମହଣ୍ଡି ଛକରେ ଥିବା ସ୍କୁଲ ପର୍ଯ୍ୟନ୍ତ ବୋହିଲେ ଯାଇକି ତାକୁ ଅନ୍ୟ କୌଣସି ଚାରି ଚକିଆ ବାହାନର ସହାୟତା ମିଳିଥାଏ |ତାଛଡା ପଂଚାୟତରୁ ପିଡ଼ିଏସ ଚାଉଳ ନେବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବୁଢ଼ାବୁଢ଼ୀମାନେ ମଧ୍ୟ ଏହି ରାସ୍ତାରେ ଯିବାଆସିବା କରିବାକୁ ଅସମର୍ଥ ମନେ କରନ୍ତି |ଗାଁରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ ପ୍ରାକ ଶିକ୍ଷା ନିମନ୍ତେ ଛୁଆମାନଙ୍କୁ ଗ୍ରାମରୁ ଏକ କିଲୋମିଟର ଦୂରରେ ଥିବା ଛତାଆମ ଗ୍ରାମକୁ ଯିବାକୁ ପଡୁଛି |ସେପଟେ ଯିବାକୁ ମଧ୍ୟ ରାସ୍ତା ନାହିଁ|ଉଠାଣି, ଗଡ଼ାଣି, ଜମିହୁଡ଼ା ଆଦି ଦେଇକି ଯିବାକୁ ପଡିଥାଏ |ରାସ୍ତାଟିଏ ପାଇଁ ଗ୍ରାମବାସୀ ଅନେକ ଥର ପ୍ରଶାସନ ଏବଂ ଜନ ପ୍ରତିନିଧିମାନଙ୍କୁ କହିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ଜନ ପ୍ରତିନିଧି ଗ୍ରାମବାସୀଙ୍କ କଥାକୁ ବିଚାରକୁ ନେଇନଥିବା ଗ୍ରାମବାସୀ କହିଛନ୍ତି |ପ୍ରତି ପାଞ୍ଚ ବର୍ଷରେ ଥରେ ମାଳ ମାଳ ନେତାମନ୍ତ୍ରୀ ଭୋଟଭିକ୍ଷା ପାଇଁ ଏହି ଗ୍ରାମକୁ ଆସନ୍ତି, ଅନେକ ସ୍ୱପ୍ନ ଦେଖେଇ ଦିଅନ୍ତି, ଅନେକ ପ୍ରତିଶୃତି ଦିଅନ୍ତି, ହେଲେ ଭୋଟ ଜିଣିଗଲା ପରେ ଭୁଲିଯାଆନ୍ତି କି ଭଇଁଶାପଡା ବୋଲି ଏକ ଗାଁ ବି ଅଛି,ଯେଉଁଠି କି ଆମେ ଭୋଟ ଭିକ୍ଷା କରିବାକୁ ଯାଇଥିଲୁ ଓ ଗ୍ରାମବାସୀଙ୍କୁ କିଛି ପ୍ରତିଶୃତି ବି ଦେଇଥିଲୁ |ଏଇ କିଛି ମାସ ଆଗରୁ ବେଲଗାଁ ପଂଚାୟତକୁ ଏକ ଆଦର୍ଶ ପଂଚାୟତର ମାନ୍ୟତା ମଧ୍ୟ ମିଳିଥିଲା, ହେଲେ ଆଦର୍ଶ ପଂଚାୟତରେ ବି ଏମିତି ଗାଁ ସବୁ ରହୁଛି ଯେଉଁଠିର ବାସିନ୍ଦାମାନେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି |ଦୀପତଳ ଅନ୍ଧାର ପରି, ଆଦର୍ଶ ପଂଚାୟତ ଅଧୀନରେ ରହି ମଧ୍ୟ ଏହି ଗ୍ରାମର ଗ୍ରାମବାସୀ ଏକ ଭଲ ରାସ୍ତାରେ ଚାଲିବାର ସୁଯୋଗ ମଧ୍ୟ ପାଇନାହାନ୍ତି |ଏ ବିଷୟରେ ପଚାରିବା ପାଇଁ ଆମେ ଝରୀଗାଁ ବିଡ଼ିଓ ସତ୍ୟ ନାରାୟଣ ମେହେରଙ୍କୁ ଫୋନରେ ଯୋଗାଯୋଗ କରିଥିଲୁ ଯଥା ଶୀଘ୍ର କାମ କରାଯିବ କହିଥିଲେ ପ୍ରଶାସନ ଯଦି ଏହି ଗାଁ ପ୍ରତି ଦୃଷ୍ଟି ଦେଇ ଏଇ ଗାଁ ଭିତରକୁ ଯିବା ପାଇଁ ଏକ ରାସ୍ତାର ନିର୍ମାଣ କରିଦିଅନ୍ତେ ତେବେ ଗ୍ରାମବାସୀଙ୍କୁ ଭୋଗୁଥିବା କ୍ଳେଶରୁ ତ୍ରାହି ମିଳିବ ବୋଲି ଗ୍ରାମର ପତି ଗୌଡ଼, ଦୁର୍ଯ୍ୟ ଗୌଡ଼, ବଇଦ ଗୌଡ଼, ଘାସିରାମ ଗୌଡ଼, ରାମ ଗୌଡ଼, ବନ ଗୌଡ଼, ସାଧୁ ଗୌଡ଼, ଲାଇଚନ ଗୌଡ଼ ବନୁ ଗୌଡ଼ ହାରାବତୀ ଗୌଡ଼, ପାର୍ବତୀ ଗୌଡ଼, ରାଧା ଗୌଡ଼, ବଇଦି ଗୌଡ଼ଓ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି |