ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଜଣେ ୮୦ ବର୍ଷ ବୃଦ୍ଧା କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ସ୍ଥ୍ୟସ୍ଥବିଭାଗ ତରଫରୁ ସ୍ପଷ୍ଟିକରଣ କରାଯାଇଛି । ଏ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ କରୋନାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂପର୍କରେ ସୂଚନା ଦେଇଥିଲେ । ଜୁନ ୨୫ ତାରିଖ ଦିନ ମୃତକ ଜଣକ ଗଂଜାମ ଜିଲ୍ଲାରୁ ରାୟଗଡା ଆସିଥିଲେ । ରାୟଗଡା ଆସିବା ପରେ ସେ ସାଇପ୍ରିୟା ନଗରରେ ଘରୋଇ ସଙ୍ଗରୋଧରେ ରହୁଥିଲେ । ୩୦ ତାରିଖ ଦିନ ତାଙ୍କୁ ଥଣ୍ଡା,କାଶ, ଜ୍ୱର ହେବାରୁ ପିରବାର ଲୋକେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ କରୋନା ଲକ୍ଷଣ ଦେଖା ଯିବାରୁ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । କିନ୍ତୁ ଅପରାହ୍ନ ୫.୩୦ ମିନଟ ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ସେହିଦିନ ରାତି ୯.୩୦ ମିନିଟ ସମୟରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବା ସହ ଏକ ଆମ୍ବୁଲାନ୍ସ ଯୋଗ ଶବକୁ ଗଂଜାମ ଜିଲ୍ଲାକୁ ନିଆଯାଇଥିଲା । ମୃତକଙ୍କ ସହ ଆସିଥିବା ୩ ଜଣ ବ୍ୟକ୍ତିଙ୍କ ସଂପର୍କର ଗଂଜାମ ଜଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଛି । ଏଥି ସହ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସହ ଆମ୍ବୁଲାନ୍ସକୁ ସାନିଟାଇଜ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ଏଥି ସହ ଆଜି ରାୟଗଡା ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାୟଗଡା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକର ବୋଲି ସୂଚନା ରହିଛି ।