ଲଗାଣ ବର୍ଷାରେ ହଜାର ହଜାର ଚାଷ ଜମି ଜଳମଗ୍ନ

ଯାଜପୁର: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ଗତ ମଙ୍ଗଳବାର ସଂଧ୍ୟା ଠାରୁ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁ ଦଶରଥପୁର ବ୍ଳକର ବିଭିନ୍ନ ଗ୍ରାମାଂଚଳ ଜଳମୟ ହୋଇ ପଡ଼ିଛି । ମୂଷଳ ଧାରାରେ ଲଗାଣ ବର୍ଷା ଜନ ଜୀବନକୁ ପ୍ରଭାବିତ କରିବା ସହ ବ୍ଲକର ୫ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷ ଜମିରେ ବର୍ଷା ଜଳ ଜମି ରହିଥିବା ପରିଲକ୍ଷିତ ହୋଇଛି । ଫଳରେ ଚଳିତ ବର୍ଷ ଖରିଫ ଧାନ ଫସଲ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ବୃଦ୍ଧି ପାଇଛି । କରୋନା ମହାମାରୀ ସାଧାରଣରେ ରୋଜଗାର ଛଡ଼ାଇ ନେଇଥିବା ବେଳେ ଖରିଫ ଧାନ ଚାଷକୁ ଆଶା କରି ବର୍ଷକର ଖାଦ୍ୟ ସାଇତି ରଖିବାକୁ ସ୍ୱପ୍ନ ଦେଖୁଥିବା ଚାଷୀର ଆଶା ସଂପୂର୍ଣ୍ଣ ଧୂଳିସାତ ହେବାକୁ ବସିଛି । ଧାର କରଜ କରି ଚାଷୀ ଚାଷ କରିବା ସହ ରୁଆ ଧାନ କ୍ଷେତରେ ସାର ଛିଚଂନ କରିଥିବା ବେଳେ ଜମିରେ ବର୍ଷା ଜଳ ଲହଡ଼ି ମାରୁଥିବା ଦେଖି ଚାଷୀମହଲ ଅଧିକ ହତୋତ୍ସାହିତ ହୋଇପଡ଼ିଛି । ବ୍ଲକ ଅଧିନ ଯାଜପୁର ନିର୍ବାଚନ ମଣ୍ଡଳୀର ଅକରପଡ଼ା, ଚିତାଳୋ, ଖଣ୍ଡରା, ବିରଜାପୁର, ତଳିହା, ଚମ୍ପେଇପାଳ, କଟିକଟା, ଇଜାପୁର, ଛଚିଂଣା, ମଲ୍ଳିକାପୁର, କସପା, ସୁସୁଆ, କନିକାପଡ଼ା ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ଜଳରେ ଉବୁଡ଼ୁବୁ ହେବା ସହ ଧାନ ଚାଷ ଏକ ପ୍ରକାର ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ବ୍ଲକ୍ ଅଧିନ ବିଂଝାରପୁର ନିର୍ବାଚନ ମଣ୍ଡଳୀର ଖାନନଗର, ନିଜାମପୁର, କୟାଁ, ପାଲଟପୁର, ବିରିପଟା, ଜାଫରପୁର, ଗ୍ରାମନନ୍ଦିପୁର, ଅସନପୁର, ଚଷାଖଣ୍ଡ, ବିହାରୀ, ରାହାସୋଇ ଆଦି ପଂଚାୟତ ମାନଙ୍କରେ ଜଳମଗ୍ନ ଚାଷ ଜମିରେ ରୁଆ ଧାନ ପଚି ନଷ୍ଟ ହୋଇଥିବା ପରିଲକ୍ଷିତ ହୋଇଛି । ବ୍ଲକ୍ ପ୍ରଶାସନ ତରଫରୁ ଦଶରଥପୁର ସହକାରୀ କୃଷି ଅଧିକାରୀ ରବିନ୍ଦ୍ର କୁମାର ପରିଡ଼ାଙ୍କ ସୂଚନା ମୁତାବକ ଦଶରଥପୁର ବ୍ଲକରେ ଅଦ୍ୟାବଧି ୧୮ ତାରିଖ ସଂଧ୍ୟାଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ୧୧୪ ମିଲିମିଟର ରେକଡର଼୍ କରାଯାଇଥିବା ବେଳେ ବିଶେଷ କରି ପ୍ରଶାସନ ତରଫରୁ ଧାନ ଚାଷ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଅପରପକ୍ଷେ ବର୍ଷାଜଳ ନିଷ୍କାସନ ପାଇଁ ଉଭୟ କୃଷି ଓ ଜଳସେଚନ ବିଭାଗର କୈାଣସି ସ୍ଥାୟୀ ବ୍ୟବସ୍ଥା ନଥିବା ହେତୁ ଚଳିତ ବର୍ଷ ଧାନ ଫସଲ ସର୍ବନାଶ ହେବାକୁ ବସିଥିବା ଖରିଫ ଧାନଚାଷୀ ନିର୍ମଳେନ୍ଦୁ ଦାସ, ସୁଧାଂଶୁ ଦାସ, ଗଦାଧର ମହାନ୍ତି, ଦିନବଂଧୁ ରାଉତ, କୈଳାସ ଜେନା, ଦାମୋଦର ଦାସ, ଚନ୍ଦ୍ରମଣୀ ପରିଡ଼ା, ମନୋଜ କୁମାର ଜେନା, ସ୍ୱଦେଶ ଜେନା, ମନୋଜ ଦାସ, ଲକ୍ଷ୍ମୀନାରାୟଣ ସୁନ୍ଦରାୟ, ନିରାକାର ସାହୁ, ପ୍ରଶାନ୍ତ କୁମାର ଜେନାଙ୍କ ସମେତ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଏହି ଲଗାଣ ବର୍ଷାରେ ବହୁ ଅଂଚଳର ଶହ ଶହ ହେକ୍ଟର ଚାଷ ଜମିରେ ହୋଇଥିବା ପରିବା ଚାଷ ମଧ୍ୟ ବୁଡ଼ି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଷାଢ଼ରେ ନିଅଂଟିଆ ବର୍ଷାକୁ ଦୃଷ୍ଟିରେ ରଖି ଧାର କରଜ କରି ଚାଷ କରିଥିବା ହଜାର ହଜାର ଚାଷୀ ଭାଦ୍ରବ ଶେଷ ଆଡ଼କୁ ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇ ପଡ଼ିବା ସହ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Leave A Reply

Your email address will not be published.

5 × 5 =