ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ପାରଳାଖେମୁଣ୍ଡି, : ପୁଣି ନିଃଶବ୍ଦ ସହରରେ ଶୁଭିଲା ପୋଲିସ୍ ସାଇରନ । ବନ୍ଦ ହେଲା ଦୋକାନ ବଜାର, ଶୁନଶାନ୍ ହେଲା ରାସ୍ତା ଘାଟ । ଚଳଚଞ୍ଚଳ ସହରର କୋଳାହଳ ନୀରବ ହୋଇଗଲା । ବାହାରକୁ ବାହାରିବା ହେଲା ମନା । ସମସ୍ତ ଛକ ସ୍ଥାନରେ ଜଗି ରହିଲେ ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ୱିତୀୟ ଲହରୀ ଧୀରେ ଧୀରେ କାୟା ବିସ୍ତାର କରିବାକୁ ଲାଗିଲାଣି । ଯାହାକୁ ମାତ୍ ଦେବାକୁ ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅମାନିଆଙ୍କୁ ଧରିବ ପୋଲିସ । ତେବେ ଗୋଟିଏ ବର୍ଷ ପୂର୍ବର କରୁଣ ସ୍ଥିତି ଆଖି ଆଗରୁ ନ ଲିଭୁଣୁ ପୁଣି ଖେଳିଯାଇଛି ଭୟର ବାତାବରଣ । ଫଳରେ କୋଭିଡ ମୁକାବିଲା ପାଇଁ ଲୋକେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା କ୍ଷେତ୍ରରେ ସତର୍କତା ଅବଲମ୍ବନ କରୁଛନ୍ତି ଲୋକେ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସମସ୍ତ ପୋଲିସ ଅଧିକାରୀ ମାନେ । ତେବେ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାରଙ୍କ ସମସ୍ତ ପଦକ୍ଷେପରେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

Leave A Reply

Your email address will not be published.

three × 2 =