ଲୁଲେର ଗାଁରେ ସପ୍ତାହକରେ ୪ ଶିଶୁଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି,୫ ।୦୬(ନି.ପ୍ର.): ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ବିଭିନ୍ନ ରୋଗରେ ଶିଶୁ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ଏବେ ପୁଣି ମାଥିଲି ବ୍ଲକର ଦୁର୍ଗମ କର୍ତନପାଲୀ ପଂଚାୟତର ଲୁଲେର ଗ୍ରାମରେ ଗତ ଏକସପ୍ତାହ ମଧ୍ୟରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ମୃତ ଶିଶୁଙ୍କ ମଧ୍ୟରେ ତିନି ଶିଶୁ ୧୦ ମାସରୁ କମ୍ ବୟସର ହୋଇଥିବା ବେଳେ ଆଉ ଜଣେ ଦେଢ଼ବର୍ଷର ବୋଲି ଜଣାପଡ଼ିଛି । ସପ୍ତାହକ ଭିତରେ ଚାରି ଚାରିଜଣ ଶିଶୁଙ୍କର ମୃତ୍ୟୁ ଘଟଣା ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାର ଅଭାବ ହେଉ କି ଲୋକଙ୍କ ସଚେତନତାର ଅଭାବ ଜିଲ୍ଲାରେ ଦିନକୁ ଦିନ ଶିଶୁ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି ।
ଲୁଲେର ଗ୍ରାମର ଭାରତ ରାଣା, ମଙ୍ଗଳା ସୋଡ଼ି, ବାଲା ଭୂମିଆ ଏବଂ ସନାଧର ·ଲା ନିଜ ନିଜ ସନ୍ତାନଙ୍କୁ ଅକାଳରେ ହରାଇ ହତାଶ ହୋଇପଡ଼ିଛନ୍ତି । ଶିଶୁ ମୃତ୍ୟୁ ଘଟଣାର କାରଣ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମିୟ ସ୍ୱାଇଁଙ୍କୁ ପଚାରିବାରୁ ଦୁଇ ଜଣ ଶିଶୁଙ୍କ ମାଥିଲିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ମେଡିକାଲ ଆସି ନଥିବା ସେ କହିଛନ୍ତି । ମେଡିକାଲ ଆସି ନଥିବା ଶିଶୁଙ୍କୁ ଦିଶାରୀ ପାଖରେ ଝଡ଼ାଫୁଙ୍କା କରାଯାଇଥିବା କୁହାଯାଉଛି । ଲୋକଙ୍କ ସଚେତନତା ଅଭାବରୁ ଏଭଳି ଦୁଃଖଦ ଘଟଣା ଘଟୁଥିବା ସେ କହିଛନ୍ତି ।
ଜିଲ୍ଲାରେ ଗତ ୨୦୧୮-୧୯ରେ ୧୩ ହଜାର ୭୮୯ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ୧୪୧ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏକବର୍ଷ ତଳକୁ ୬୯୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୧୯-୨୦ ବର୍ଷରେ ୧୨ ହଜାର ୮୩୬ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ଏକବର୍ଷରୁ ତଳକୁ ୭୨୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧ରୁ ୫ ବର୍ଷ ମଧ୍ୟରେ ୧୦୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୧୪ ଏପି୍ରଲ ମାସରୁ ୨୦୧୯ ସେପ୍ଟେମ୍ବର ମାସ ମଧ୍ୟରେ ୪୮୦୦ରୁ ଉଦ୍ଧ୍ୱର୍ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୪ ଜନଗଣନା ଅନୁଯାୟୀ ଜିଲ୍ଲାରେ ୬ ଲକ୍ଷ ୪୧ ହଜାର ୩୮୫ ଲୋକ ବସବାସ କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ୮୦ ହଜାର ୫ ବର୍ଷରୁ କମ୍ ବୟସର ଶିଶୁ ରହିଛନ୍ତି ।
ଗତ ୨୦୧୬ ମସିହାରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୧୦୦ ଜଣ ଶିଶୁଙ୍କର ଜାପାନିଜ ଏନ୍ସେଫାଲାଇଟିସ୍ରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଥିଲା । ବେସରକାରୀ ଭାବେ ଏହି ସଂଖ୍ୟା ପାଖାପାଖି ୫ଶହ ହେବ ବୋଲି କୁହାଯାଉଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ । ଅପପୁଷ୍ଟିର ଶିକାର ହୋଇ ପ୍ରତିବର୍ଷ ବହୁ ସଂଖ୍ୟାରେ ଶିଶୁଙ୍କର ମୃତ୍ୟୁ ହେଉଛି । ୨୦୧୪-୧୫ ବର୍ଷରେ ସରକାର ଜିଲ୍ଲାରେ ଶିଶୁ ମୃତ୍ୟୁ ରୋକିବା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅପପୁଷ୍ଟି ସେବା କେନ୍ଦ୍ର ପାଇଁ ୧ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଶିଶୁ ମୃତ୍ୟୁ ରୋକାଯାଇ ନପାରିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏହି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.

two × two =