ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର କିଛିଲୋକ ବାରାହା ଶିକାର ଉଦେଶ୍ୟରେ ନିକଟ ଏକ ପାହାଡ ଉପରକୁ ଯାଇଥିଲେ, କିନ୍ତୁ ବାରାହା ଶିକାର ପୂର୍ବରୁ କୌଣସି କାରଣରୁ ବନ୍ଧୁକରେ ଥିବା ଗୁଳି ଫୁଟି ଯିବା ଫଳରେ ଉକ୍ତ ଲୋକଙ୍କ ମଧ୍ୟରେ ଦେହରେ ବାଜି ତାଙ୍କ ମୃତ୍ୟୁହୋଇ ଯାଇଥିଲା । ଶିକାରୀ ଗୁଳିରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କାଳିଆ ଯୋଡି ଗ୍ରାମର ସୁକ୍ରୁ ଝଡିଆଙ୍କର ପୁଅ ଖଗେଶ୍ୱର ଝଡିଆ (୩୬) ଗ୍ରାମବାସୀଙ୍କର ସୂଚନା ଅନୁଯାୟୀ, କିଛିଦିନ ଧରି ଏକ ବିରାଟ ଜଙ୍ଗଲୀ ବାରାହା ଅଞ୍ଚଳରେ ଉପଦ୍ରବ ଚଳାଇ ଦିନ ରାତି ମକା, ଧାନ ଫସଲ ନଷ୍ଟ କରୁଥିଲା । ଏଥିରେ ଅଞ୍ଚଳର ଲୋକେ ଅତିଷ୍ଠ ହୋଇ ଗତ ମଙ୍ଗଳବାର ଦିନ ଦ୍ୱିପହରରେ ମାଇକୋଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଞ୍ଚ ଗୁମ୍ମା ଓ କାଳିଆ ଯୋଡି ଗ୍ରାମର ପା୍ରୟ ୨୦ ଜଣ ଉକ୍ତ ବାରାହା ଶିକାର ଉଦେଶ୍ୟରେ ବାହାରିଥିଲେ । ଗାଁ ପଛପାଖରେ ଥିବା ପାହାଡର ଜଙ୍ଗଲରେ ଛାନଭିନ କରିଥିଲେ । ସେଠାରେ ବାହାହା ନ ମିଳିବାରୁ ଅଳ୍ପଦୂରରେ ଥିବା ମାଙ୍କଡଝୋଲା ଗ୍ରାମ ଉପରେ ଥିବା ଜଙ୍ଗଲ ଭିତରେ ସମସ୍ତେ ପଶି ଯିଏ ଯାହାର ବାଟରେ ବାରାହାର ଅନୁସନ୍ଧାନ କରୁଥିଲେ । ଇତି ମଧ୍ୟରେ କୋଞ୍ଚ ଗୁମ୍ମା ଗ୍ରାମର ଧନସିଂ ଦିଶରୀଙ୍କର ବନ୍ଧୁକରୁ କୌଣସି ପ୍ରକାରେ ଗୁଳି ବାହାରି ସିଧା କାଳିଆ ଯୋଡି ଗ୍ରାମର ଖଗେଶ୍ୱର ଝଡିଆଙ୍କର ମୁଣ୍ଡର ପଛ ପଟେ ବାଜିଥିଲା । ବନ୍ଧୁକ ଗୁଳି ଫୁଟିବା ଶବ୍ଦ ପରେ ସମସ୍ତେ ବାରାହାକୁ ଗୁଳି ବାଜିଥିବା ଓ ତାର ପ୍ରତି ଆକ୍ରମଣ ଭୟ ସୃଷ୍ଟି ହେଉଥିଲା । ଏପଟେ ବାରାହା ବଦଳରେ ମଣିଷ ଟଳି ପଡିଯାଇଥିଲା । ଖବର ଜଣାପଡିବା ପରେ ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଗାଁକୁ ଆଣୁଥିବା ବାଟରେ ଅତ୍ୟଧିକ ରକ୍ତସ୍ରାବ ହେଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବରକୁ ଗୁପ୍ତରେ ରଖି ଉଭୟ ଗ୍ରାମବାସୀ ବୈଠକ କରିଥିଲେ । ମୃତ ଖଗେଶ୍ୱରଙ୍କର ୪ଟି ସନ୍ତାନ, ପୁଣି ବର୍ତମାନ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ଝଡିଆ ଗର୍ଭବତୀ ରହିଥିବା ଦୃଷ୍ଟିରୁ ଆର୍ଥିକ ସହାୟତା ନିମନ୍ତେ ନିଷ୍ପତି ସ୍ଥିର ହୋଇଯାଇଥିଲା । ବୁଧବାର ସକାଳେ ଉଭୟ ଗ୍ରାମବାସୀଙ୍କର ଉପସ୍ଥିତିରେ ଶବ ସତ୍କାର ବନେ୍ଦାବସ୍ତ ସମ୍ପୂର୍ଣ୍ଣ ପରେ ଜୁଇ ରେ ଶବ ରଖି ଅଗ୍ନି ସଂଯୋଗ ହୋଇଯାଇଥିଲା । ଉକ୍ତ ଘଟଣା ସଂପର୍କରେ ରାୟଗଡା ଏସଡିପିଓ ତପନ କୁମାର ରଥ ସୂଚନା ପାଇ ତୁରନ୍ତ ଅଣ୍ଡିରାକୋଞ୍ଚ ଥାନାକୁ ଶବ ଜବତ ପାଇଁ ନିଦେ୍ର୍ଧଶ ଦେଇଥିଲେ ।