ଶୁକ୍ରବାର ନାଗାର୍ଜୁନ ବେଶ

ପୁରୀ : ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ। ତେ​ବେ କରୋନା କଟକଣା କାରଣରୁ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏଥିପାଇଁ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ପୁରୀ ପ୍ରଶାସନ ନିବେଦନ କରିଛି। ତେବେ ଏହି ବେଶ ଦିନ ପୁରୀର ବାସିନ୍ଦା କେବଳ ମନ୍ଦିର ବାହାରେ ରହି ପତିତପାବନ ଦର୍ଶନ କରିବାକୁ ଜିଲା ପ୍ରଶାସନ ଅନୁମତି ଦେଇଛି। ଉପଜିଲାପାଳ ଭବତାରଣ ସାହୁ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଲୋକ କେବଳ ପତିତପାବନ ଦର୍ଶନ କରିପାରିବେ; କିନ୍ତୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାଗାର୍ଜୁନ ବେଶ ଦିନ ଶ୍ରଦ୍ଧାଳୁମାନେ ମରିଚକୋଟ ଛକରୁ ପାଦରେ ଚାଲି କାକୁଡ଼ିଖାଇ ଛକ ଦେଇ ବାହାରିବେ।
ଉତ୍ତର ଓ ଦକ୍ଷିଣ ଦ୍ୱାରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ଜଗନ୍ନାଥ ବଲ୍ଲଭ ମଠରେ ଅବଢ଼ା ପ୍ରଦାନ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ରାତି ଦୁଇଟାରୁ ଦୁଆରଫିଟା ଆରମ୍ଭ ହୋଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ।
ଅନ୍ୟପକ୍ଷେ ଦୀର୍ଘ ବର୍ଷ ପରେ ଏହି ବେଶ ପଡୁଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.

16 − twelve =