ଶୁଭାରମ୍ଭ ହେବାକୁ ଯାଉଛି ଓଡ଼ିଶାର ସର୍ବ ବୃହତ ଫ୍ଲାଇଓଭର ବ୍ରିଜ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଯୋଡ଼ା ସହର ଦେଇ ଯାଇଥିବା ୨ ନମ୍ବର ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ଏକ ବ୍ୟସ୍ତ ବହୁଳ ସଡକ । ଏହି ରାସ୍ତାଦେଇ ହଜାର ହଜାର ଟ୍ରକ ଦେଶର ବିଭିନ୍ନ ପ୍ରାନ୍ତକୁ ଖଣିଜ ପରିବହନ କରିଥାନ୍ତି । ଉକ୍ତ ରାସ୍ତାର ଦୁଇ କଡରେ ଅନେକ ଗୁଡିଏ ବିଦ୍ୟାଳୟ ଓ ବ୍ୟାଙ୍କ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ଲୁହାପଥର ପରିବହନ ଯୋଗୁଁ ପଥଚାରି ତଥା ଦୁଇଚାକିଆ ଯାନ ଗୁଡିକ ଯିବା ଆସିବା ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇ ଆସୁଥିଲେ । ଏମିତିକି ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଇଥିବାର ନଜିର ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଯୋଡ଼ା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକ ଏହି ରାସ୍ତା ଉପରେ ଏକ ଓଭର ବ୍ରିଜ ନିର୍ମାଣ ନିମନ୍ତେ ଦାବି କରି ଆସୁଥିଲେ । ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଏହି ପ୍ରସଙ୍ଗକୁ ବିଧାନସଭାରେ ମଧ୍ୟ ଉପସ୍ଥାପନା କରିଥିଲେ । ରାଜ୍ୟସରକାର ଏହାକୁ ଗୁରୁତ୍ୱ ସହକାରେ ଗ୍ରହଣ କରିବା ସହିତ ଫ୍ଲାଇ ଓଭର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦେଇଥିଲେ । ଯାହା ଖୁବ ଶୀଘ୍ର ଉଦଘାଟନ ହେବାକୁ ଯାଉଛି । ମୋଟାମୋଟି କହିବାକୁ ଗଲେ ଯୋଡ଼ାବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଏହି ପ୍ରକଳ୍ପ ଟିକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପଣ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଏ ପରିପ୍ରେକ୍ଷୀରେ ଓଭର ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମୁଖ୍ୟ ଵିପୁଲ ବରାଟଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇଯାଇଛି । ଏବେ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ରଙ୍ଗ ଓ ଲାଇଟ କାମ ଚାଲୁ ରହିଛି । ଏହାର ଦୁଇ ପାର୍ଶ୍ଵରେ ଦୁଇଟି ସର୍ଭିସ ରୋଡ଼ କାମ ପାଖାପାଖି ଶେଷ ହୋଇଯାଇଛି । ରାଜ୍ୟ ସରକାର ଯେକୌଣସି ମୁହୂର୍ତ୍ତରେ ଚାହିଁଲେ ଏହାକୁ ଲୋକାର୍ପିତ କରି ପାରିବେ । ସେ କହନ୍ତି ଆମେ ଅନେକ ସ୍ଥାନରେ ଓଭର ବ୍ରିଜ ନିର୍ମାଣ କରିଛୁ ହେଲେ ଏହି ବ୍ରିଜ ଓଡ଼ିଶାର ସର୍ବ ବୃହତ । ଏଯାବତ ଓଡ଼ିଶାରେ ଏତେ ଲମ୍ବା ବ୍ରିଜ ନଥିଲା । ଏହା ଓଡ଼ିଶାର ଗର୍ବ ଓ ଗୌରବ । ଖଣି ବାସୀଙ୍କ ପାଇଁ ଏହା ବରଦାନ ସଦୃଶ । କମ୍ପାନୀର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା କହନ୍ତି ଏହି ବ୍ରିଜ ଚାଲୁ ହେଲେ ଲୋକେ ବେଶ ଉପକୃତ ହେବେ । ଆଗରୁ ଜନଗହଳି ଓ ଦୁର୍ଘଟଣାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଦିନବେଳା ଖଣିଜ ପରିବହନ ବନ୍ଦ ରଖୁଥିଲେ । ଯାହା ସିଧା ସଳଖ ଗାଡି ମାଲିକ ମାନଙ୍କ ଉପରେ ପ୍ରଭାବ ପକାଉଥିଲା । ଫଳରେ ଗାଡି ଗୁଡିକ ଦିନତମାମ ଛିଡା ରହୁଥିଲା । ମାଲିକ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିଲା । ଏବେ ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବା ସହିତ ଦୁର୍ଘଟଣା ଘଟି କାହାର କ୍ଷତି ହେବାର ସମ୍ଭାବନା ନାହିଁ । ଓଭର ବ୍ରିଜ ଚାଲୁ ହେବା ପରେ ଯୋଡ଼ା ଅଂଚଳର ଆର୍ଥିକ ଅଭିବୃଦ୍ଧି ସ୍ଵଚ୍ଛଳ ହେବା ସହିତ ବ୍ୟବସାୟ ଅଭିବୃଦ୍ଧି ନିଶ୍ଚିତ  ବୋଲି ଯୋଡ଼ା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଛନ୍ତି ।

Leave A Reply

Your email address will not be published.

3 × five =