ବାଲିକୁଦା: ଶନିବାର ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବୋରିକିନା କଣିଆ ରାସ୍ତାର ନାରଦିଆ ପାଣି ଟାଙ୍କି ନିକଟରେ ଏକ ବାଇକ ଓ ପିକଅପ ଭୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁହେଁ ଏରସମା ଥାନା ଗଡ଼ହରିଶପୁର ପଂଚାୟତ ମଠସାହି ଗାଁର ଜଳନ୍ଧର କାଣ୍ଡିଙ୍କ ପୁଅ ନକୁଳ କାଣ୍ଡି (୨୫) ଓ ଛଇଳ କାଣ୍ଡିଙ୍କ ପୁଅ ପୁଷ୍ପକ କାଣ୍ଡି(୩୫) ବୋଲି ଜଣା ପଡ଼ିଛି । ଉଭୟ ଓଡ଼ି୨୧ଗି ୦୮୪୯ ନମ୍ବର ବିଶିଷ୍ଟ ଏକ ହିରୋ ଗ୍ଲେମୋର ମୋଟର ସାଇକେଲ ଯୋଗେ ବାଲିକୁଦାରୁ ଏରସମା ଫେରିବା ବାଟରେ ବିପରୀତ ଦିଗରୁ ଆସୁଥିବା ଓଡ଼ି୨୧ ଜି ୧୦୧୧ ନମ୍ବର ବିଶିଷ୍ଟ ଏହି ପିକଅପ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣଙ୍କର ହିଁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପୁଷ୍ପକ ରାସ୍ତା ମଝିରେ ପଡ଼ି ଥିବା ବେଳେ ନକୁଳ ରାସ୍ତା ପାଶ୍ୱର୍ରେ ଥିବା ପାଣି ଖନ୍ଦକରେ ପଡ଼ି ପାଣି ପିଇ ଯାଇଥିଲେ । ଦୂର୍ଘଟଣା ଘଟାଇ ପିକଅପକ ଭ୍ୟାନ୍ର ଚାଳକ ଜଣକ ଦୃତ ଗତିରେ ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର ବାଲିକୁଦା ବସ୍ ଷ୍ଟାଣ୍ଡ ନିକଟରେ ଅଟକି ରହିଯାଇଥିଲା । ବାଲିକୁଦା ପୁଲିସ ଖବର ପାଇ ଦୁର୍ଘଟଣା ଘଟାଇଥିବା ପିକଭ୍ୟାନକୁ ଜବତ କରିଥିବା ବେଳେ ଚାଳକକୁ ନେଇ ଥାନାରେ ଅଟକ ରଖିଛି । ଦୁର୍ଘଟନା ସମ୍ପର୍କରେ ଜାଣି କେହି ବାଲିକୁଦା ଅଗ୍ନିଶମ କେନ୍ଦ୍ରକୁ ଘଟଣା ସମ୍ପର୍କରେ ଜଣାଇବା ସହିତ ବାଲିକୁଦା ଥାନାକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କୁ ବାଲିକୁଦା କେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ସେଠାରେ ପହଂଚିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ପିକ୍ଅପ୍ ଭ୍ୟାନ୍ଟି ତିର୍ତୋଲ ଥାନା ଅଂଚଳରେ ଥିବା ଏକ ଘରୋଇ ସଂସ୍ଥାର ବୋଲି ଜଣା ପଡ଼ିଛି ଓ ଚାଳକଙ୍କ ଘର ମଧ୍ୟ ସେହି ତିର୍ତୋଲ ଅଂଚଳ ତାଙ୍କ ନାମ ଏକାଦଶୀ କାଣ୍ଡି ବୋଲି ଜାଣିବାକୁ ମିଳିଛି । ବାଲିକୁଦା ପୁଲିସ ଶବ ଦୁଇଟିକୁ ଜବତ କରି ନିଜ ହେପାଜତରେ ରଖି ଆଜି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଉକ୍ତ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି ।