ଭୁବନେଶ୍ୱର: ଶିଶୁମାନେ ଭବିଷ୍ୟତରେ ବଡ ହେବା ପାଇଁ ସ୍ୱପ୍ନ ଦେଖିବା ଓ ଏହି ସ୍ୱପ୍ନକୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖିବା ଆବଶ୍ୟକ । ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଏଥିପାଇଁ ପ୍ରେରଣା ଯୋଗାଇ ଦେବାକୁ ‘ପିକକ୍’ ଶିଶୁମେଳାର ଉଦଘାଟନ ସମାରୋହରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ଶିଶୁ ମାନଙ୍କର ଅନ୍ତନିର୍ହିତ ପ୍ରତିଭା ଓ ଗୁଣାବଳୀକୁ ପ୍ରୋତ୍ସାହନ ଦେବା ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ୍ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ୩୧ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବ ଶିଶୁ ଦିବସ ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜିଟାଲ ମଞ୍ଚରେ ଶିଶୁମେଳାର ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା । ଶିଶୁମାନଙ୍କ ପାଇଁ କାର୍ଯ୍ୟରତ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସ୍, ପିକକ୍ ଶିଶୁ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଭୂମିକା ଦାଶ, ପିକକ୍ ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ, ବିଶିଷ୍ଟ କ୍ରିଡାବିତ୍ ଓ ଅଲମ୍ପିଅ।ନ୍ ଅନୁରାଧା ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ କରି ପିକକ୍ର ୩୧ ତମ ସପ୍ତାହବ୍ୟାପୀ ଶିଶୁମେଳାର ଉଦ୍ଘାଟନ କରିଥିଲେ ।ବରିଷ୍ଠ ପ୍ରଶାସକ ରଞ୍ଜନ କୁମାର ଦାସ୍ ପିଲାମାନଙ୍କୁ ସ୍ୱାଧୀନତା ଦେବା ଉଚିତ୍ ଓ ସ୍ୱାଧୀନତା ପାଇଲେ ହିଁ ସେମାନେ ଅଧିକ ଦାୟିତ୍ୱ ସମ୍ପନ୍ନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ପିକକ୍ ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏହି ଉଦ୍ଘାଟନ ସମାରୋହରେ ସଭାପତିତ୍ୱ କରିଥିଲେ ଓ ଶିଶୁ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ପିକକ୍ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟରତ ବୋଲି କହିଥିଲେ । ପିକକ୍ ର ସମ୍ପାଦକ ଶ୍ରୀ ମହାନ୍ତି, ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ସପ୍ତାହବ୍ୟାପି କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଅ।ନନ୍ଦମୟ ଶୈଶବ ସୁନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ । ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କ ପୁରସ୍କାର ଓ ସାର୍ଟିଫିକେଟ୍କୁ ଡାକ ଯୋଗେ ସେମାନଙ୍କ ଠିକଣାକୁ ପଠାଇ ଦିଆଯିବ । ନଭେମ୍ବର ୨୦ ତାରିଖ ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପିକକର ବାର୍ଷିକ ସମ୍ମାନ ପ୍ରଦାନ କରାଯିବ ।