ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଏରସମା : ଏରସମା ବ୍ଲକ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇ, ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଗ୍ରାମବାସୀଙ୍କ ଦ୍ୱାରା ଦୀର୍ଘ ସମୟ ଘେରାବନ୍ଦୀରେ ପଡ଼ିଛନ୍ତି। କୁଞ୍ଜକୋଠି ଗ୍ରାମରେ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ପାନୀୟ ଜଳ ସମସ୍ୟା ଉପୁଜିଥାଏ। ଏଥିପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏହି ପଞ୍ଚାୟତ ଅଞ୍ଚଳର କନାଗୁଳି ଓ ଖୁରାଣ୍ଟ ଠାରେ  ଦୁଇଟି ଓଭରହେଡ୍ ଟାଙ୍କି କରାଯାଇ ବିଭିନ୍ନ ଗ୍ରାମକୁ ଦୀର୍ଘ ଦିନଧରି ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ,ଏଯାବତ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ୍ ସଂଯୋଗ କରାଯାଉନାହିଁ କିମ୍ବା ମେଗା ପାନୀୟ ଜଳ ପ୍ରକଳ୍ପରେ ଉକ୍ତ ଗ୍ରାମକୁ ସାମିଲ କରାଯାଇନାହିଁ। ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏବଂ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। ମାତ୍ର ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେବେ ଆଜି ଏରସମା ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ସୁନିଲ କୁମାର ବେକ୍ ଏହି ଗ୍ରାମକୁ ଅପରାହ୍ନରେ ଅନୁଧ୍ୟାନ ପାଇଁ ଯାଇଥିଲା ବେଳେ କୁଞ୍ଜକୋଠି ଗ୍ରାମ ମନ୍ଦିର ନିକଟରେ ସୁରେଶ ଚନ୍ଦ୍ର ସ୍ଵାଇଁ,ମନୋଜ ମଲ୍ଲିକ,ବିଜ୍ଞାନ ସ୍ଵାଇଁ, କବିତା ବେହେରା,ବୀଣା ମଲ୍କିକ, ଅଜୟ ଦାସ, ସୌରୀ ମଳିକ, ନାରାୟଣ ସେଠୀ, ରଞ୍ଜୁ ଦାସ, ସାବିତ୍ରୀ ବାରିକ, ମଞ୍ଜୁଲତା ବେହେରା, ସୁଜାତା ଦାସ  ଓ ତପନ ସ୍ୱାଇଁ ପ୍ରମୁଖ ଶତାଧିକ ଗ୍ରାମବାସୀ ଓ ମହିଳା ମାନେ ଗରା ବାଲତି ଧରି ଦୀର୍ଘ ସମୟ ଘେରାଉ କରିଥିଲେ। ତେବେ  ସମ୍ପୃକ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ୧୫ ଦିନ ମଧ୍ୟରେ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟାରେ ଗ୍ରାମବାସୀ ମାନେ ଘେରାଉରୁ ଓହରି ଯାଇଥିଲେ।

Leave A Reply

Your email address will not be published.

ten + 13 =