ଯାଜପୁର: ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାଙ୍କୁ ସାମାଜିକ ସହାୟତା ଯୋଗାଇ ଦେବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛିି ବିଭିନ୍ନ ଯୋଜନା । ଏ ବାବଦକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ଏବଂ ଯୋଜନାର ତଦାରଖ ଦାୟିତ୍ୱରେ ରହିଛନ୍ତି ପ୍ରଶାସନିକ ଅଧିକାରୀ । ତଥାପି ଯୋଜନାର ସୁଫଳ ପାଇବାରୁ କିଛି ଯୋଗ୍ୟ ହିତାଧିକାରୀ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକ୍ କୟାଁ ପଂଚାୟତ ମାଧପୁର ଗ୍ରାମର ମହନୀ ନାୟକ । ବୟସ ୭୦ ଟପିଲାଣି । ମହନୀ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଦୈନିକ ମଜୁରୀ ନ ଲାଗିଲେ ପରିବାରକୁ ଉପାସରେ ଦିନ କାଟିବାକୁ ପଡେ଼ । ୩ ବର୍ଷ ତଳେ ପକ୍ଷାଘାତ ରୋଗରେ ପିଡ଼ିତ ହୋଇ ଚାଲିବାତ ଦୂରର କଥା ଜଣେ ନ ଧରିଲେ ମହନୀଙ୍କ ପକ୍ଷେ ଠିଆ ହେବା କଷ୍ଟକର । ଏପରି ସ୍ଥିତିରେ ଭତା ଗଣ୍ଡାଏ ପାଇବା ପାଇଁ ଦୀର୍ଘ ୩ ବର୍ଷ ହେବ ମହନୀ ପଂଚାୟତ କାର୍ଯ୍ୟାଳୟଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈାଡ଼ି ଦୈାଡ଼ି ନୟାନ୍ତ ହୋଇପଡ଼ିଛନ୍ତି । ହେଲେ କେହି ଗୁହାରୀ ଶୁଣୁ ନାହାଁନ୍ତି । ସବୁଠି ନିରାଶ ହେବା ପରେ ତତକାଳୀନ ଜିଲ୍ଳାପାଳ ରଂଜନ ଦାସଙ୍କୁ ଗତ ୨୦୧୯ ଅଗଷ୍ଟରେ ଦରଖାସ୍ତ କରିଥିଲେ । ଜିଲ୍ଳାପାଳ ଦଶରଥପୁର ବିଡ଼ିଓଙ୍କୁ ଏ ନେଇ ପଦକ୍ଷେପ ନେବାକୁ କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ମହନୀଙ୍କ ଦୁଃଖ ବୁଝୁନାହିଁ । ସେହିପରି ବ୍ଲକ୍ ପ୍ରଶାସନ ତରଫରୁ ଗତ ଜାନୁଆରୀ ମାସରେ ଅନୁଷ୍ଠିତ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ଟ୍ରାଇସାଇକେଲ ଖଣ୍ଡକ ପାଇଁ ବିଡ଼ିଓଙ୍କୁ ନିବେଦନ କରିଥିଲେ ମଧ୍ୟ ସେତେକ ବି ଏ ପର୍ଯ୍ୟନ୍ତ ତାଙ୍କ ପାଇଁ ସାତ ସପନ ପାଲଟିଛି । ଏବେ ଚାଲିବାକୁ ଅକ୍ଷମ ମହନୀ କାମ ଧନ୍ଦା କରି ପାରୁ ନଥିବାରୁ ଅତ୍ୟନ୍ତ ଦୁଃଖରେ ଦିନ କାଟୁଛନ୍ତି । କରୋନା କଟକଣାରେ ରହି ପେଟ ପୋଷିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି । ତୁରନ୍ତ ଜିଲ୍ଲାପ୍ରଶାସନ ତାଙ୍କୁ ମାସିକ ଭତା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।