ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସୁରତ ଓ ମୁମ୍ବାଇରୁ ଫେରୁଥିବା ଲୋକମାନଙ୍କୁ ୭ ଦିନ ହୋମ କ୍ୱାରେଂଟାଇନ୍ରେ ରହିବା ବାଧ୍ୟତାମୂଳକ କରିଛି ।
କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଆଜି ଏହି ନିଦେ୍ର୍ଧଶନାମା ଜାରି କହିଛନ୍ତି । ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି । ହଟସ୍ପଟ ଅଞ୍ଚଳରୁ ଆସୁୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ । ବାହାର ଅଞ୍ଚଳରୁ ଆସିଲେ ଆରଟିପିସିଆର ଟେଷ୍ଟର ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ ।
ରାଜ୍ୟ ବାହାରୁ ଯାନିଯାତ୍ରା ପାଇଁ ଆସିପାରିବେନି ଲୋକେ । କେବଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲେ ନିଜ ନିଜର ଆରଟିପିସିଆର ସାର୍ଟିଫିକେଟ୍ ଧରି ଆସିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ୭ଦିନ ହୋମ କ୍ୱାରେଂଟାଇନ୍ରେ ରହିବେ ବୋଲି ସେ କହିଛନ୍ତି ।
ଏଣେ ଜିଲ୍ଲାରେ ହୋଲି ଓ ଦୋଳଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । କେବଳ ମନ୍ଦିର ଭିତରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ହେବ ପୂଜାର୍ଚ୍ଚନା । ସର୍ବ ସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି ଖେଳ । ନିଜ ନିଜ ଘରେ ହୋଲି ଖେଳିପାରିବେ ଲୋକେ । ସେହିପରି ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ମଧ୍ୟ ମାଆଙ୍କ ରିିତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲ୍ଦାର ଓ ଏନ୍ଏସି କାର୍ଯର୍୍ୟନିର୍ବାହୀ ଅଧିକାରୀମାନେ ।
ଲୋକେ ସତର୍କତା ଅବଲମ୍ବନ ନ କଲେ କିମ୍ବା କୋଭିଡ୍ କଟକଣା ନ ମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକ୍ଡାଉନ୍ ଏବଂ ସଟଡାଉନ୍ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକମାନେ ଅଂଶୁଘାତରେ ମୁକ୍ତିପାଇବେ, ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା ।