ସୁରେଶ ମହାପାତ୍ର ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ । ଆଜି ସରକାରୀ ଭାବେ ତାଙ୍କର ନାମ ଘୋଷଣା ହୋଇଛି । ଆହୁରି ମଧ୍ୟ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ସେହିପରି ଉନ୍ନୟନ କମିଶନର ଭାବେ ଅତିରିକ୍ତ ଶାସନ ସଚିବ ତଥା ଏସଆରସି ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ଶ୍ରୀ ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଏକ ପ୍ରକାରର ଚର୍ଚ୍ଚା ଯୋର ଧରିଥିଲା । ଆସନ୍ତା ୨୦୨୨ ମସିହା ଏପ୍ରିଲ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାରୁ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ମୁଖ୍ୟଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର ଗ୍ରହଣ କରିବେ । ସେହିଦିନ ଶ୍ରୀ ମହାପାତ୍ର ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଣେ ଦକ୍ଷ ଅଫିସର ଭାବେ ପରିଚିତ । ସେ ଉନ୍ନୟନର କମିଶନର ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରି ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ଉନ୍ନୟନ କମିଶନର ଭାବେ ସଠିକ୍ କୋଭିଡ ପରିଚାଳନା କରି ରାଜ୍ୟସରକାରଙ୍କର ପ୍ରଂଶସାର ପାତ୍ର ହୋଇପାରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ସେ କାର୍ଯ୍ୟ କରିଥିଲା ବେଳେ କୃଷି, ଜଳସଂପଦ, ଶକ୍ତି, ଗିଡକୋର ଅଧ୍ୟକ୍ଷ, ଓମଫେଡ଼ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏବେ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ ସମ୍ମୁଖରେ ବହୁ ଚ୍ୟାଲେଞ୍ଜ ରହିଛି । ବିଶେଷ କରି କୋଭିଡ ସଂକ୍ରମଣ, ଆର୍ଥିକ ସ୍ଥିତି ଏବଂ ୫ଟି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇନେବା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ । ଅନ୍ୟପକ୍ଷରେ ବହୁ କ୍ଷେତ୍ରରେ ସେ ବହୁ ସଂକଟର ସଫଳତାର ପରିଚାଳନା କରି ନିଜ ଦକ୍ଷତାର ପରିଚୟ ଦେଇପାରିଛନ୍ତି ।

Leave A Reply

Your email address will not be published.

ten − 6 =